ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ମୁହାଁମୁହିଁ
ଭୋପାଳ: ମଧ୍ୟପ୍ରଦେଶରେ ଏବେ କ୍ଷମତା ସଂଘର୍ଷ ସାମ୍ନାକୁ ଆସିଛି । ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ନର୍ମଦା ନଦୀ ଘାଟର ବିକାଶ ଲାଗି ହୋଇଥିବା କିଛି ଯୋଜନାରେ ସରକାରୀ ରିହାତିକୁ ନେଇ ନରୋତ୍ତମ ଆପତ୍ତି କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।
କରୋନା କାଳରେ ପ୍ରଥର ସମସ୍ତ ମନ୍ତ୍ରୀ ବଲ୍ଲଭ ଭବନରେ ବୈଠକରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ଭିର୍ଚୁଆଲ୍ ବୈଠକ ବସୁଥିଲା । ବୈଠକରେ ନର୍ମଦା ଘାଟର ବିକାଶ ଯୋଜନା ନେଇ ୮୮୦୦ କୋଟି ମୂଲ୍ୟର ୨ଟି ପ୍ରକଳ୍ପକୁ ବଜେଟରେ ଅଧିକ ରିହାତି ପ୍ରସ୍ତାବ ଆସିଥିଲା । ଏହାର ବିରୋଧ କରିଥିଲେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । କହିଥିଲେ, ଏହି ପ୍ରକଳ୍ପରେ ବନ୍ଧ ବନ୍ଧା ଯାଉନାହିଁ ତେବେ କାହିଁକି ପ୍ରଥମେ ପାଇପ୍ ବିଛା ଯାଉଛି ।
ସମସ୍ତ ବିଭାଗର ବଜେଟ୍ ସଂକୁଚିତ କରାଯାଉଥିବା ବେଳେ ସରକାରୀ ସୀମାଠାରୁ ଆଗକୁ ଯାଇ କାହିଁକି ରିହାତି ଦେଇ କାହାକୁ ଦୟା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ନରୋତ୍ତମଙ୍କ ଏଭଳି ବିରୋଧରେ ଦେଖି ଅନ୍ୟ ମନ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସର୍ବସମ୍ମତି ରୂପେ ପ୍ରକଳ୍ପକୁ ମଞ୍ଜୁରୀ ଦେବାକୁ କହିଥିଲେ । କିଛି ମନ୍ତ୍ରୀ ନରୋତ୍ତମଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସମୟରେ ଚୁପ୍ ରହିବା ସହ ନରୋତ୍ତମ ମିଶ୍ର ବୈଠକରୁ ଉଠି ପଳାଇଥିଲେ । ପରେ ସମସ୍ତ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯାଇଛି । ତେବେ ବୈଠକରେ ଯିବା ପରେ ନରୋତ୍ତମ ମିଶ୍ର ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ ସଂଗଠନର ମନ୍ତ୍ରୀଙ୍କ ସହ ଆଲୋଚନା କରି ନିଜ ଯୁକ୍ତି ରଖିଥିଲେ । ମଧ୍ୟପ୍ରଦେଶରେ କମଳନାଥ ସରକାରର ପତ୍ତନ ପର ଠାରୁ ନରୋତ୍ତମ ଓ ଶିବରାଜଙ୍କ ମଧ୍ୟ ଛକାପଞ୍ଛା ଲାଗି ରହିଛି । ନରୋତ୍ତମଙ୍କ ଅନୁସାରେ, କମଳନାଥ ସରକାର ବିଲୟ ପାଇଁ ତାଙ୍କ ଭୂମିକା ଅନୁସାରେ ତାଙ୍କୁ ହକ୍ ମିଳୁନାହିଁ ।