ଦୀପାବଳି ପାଇଁ ଗାଇଡଲାଇନ; ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ଉପରେ କଟକଣା

ଭୁବନେଶ୍ୱର: ଦୀପାବଳି ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ। ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ବାଣ ଫୁଟାଯିବ। ବିପଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ଉପରେ କଟକଣା ଜାରି ହୋଇଛି। ଗ୍ରୀନ କ୍ରାକର ବିକ୍ରି ପାଇଁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୨୫ଟି ସ୍ଥାନରେ ବିଏମସି ସହମତିରେ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଲାଇସେନ୍ସ ପାଇଁ ଏଯାଏଁ ୪୬୫ ଜଣ ଦୋକାନୀ ଆବେଦନ କରିଛନ୍ତି । ୨ ଶହ ଜଣଙ୍କୁ ଲାଇସେନ୍ସ ପ୍ରଦାନ ସରିଲାଣି। ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ଲାଇସେନ୍ସ ପ୍ରଦାନ କରାଯିବ।

ଲାଇସେନ୍ସ ମୁତାବକ ଜଣେ ଦୋକାନୀ ୩ ଶହ କେଜି ବାଣ ରଖିପାରିବେ। ଦୁଇଟି ବାଣ ଦୋକାନ ମଝିରେ ୩ ମିଟର ବ୍ୟବଧାନ ରହିବ। ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ। ଅଗ୍ନିଶମ ବିଭାଗ ଓ ବିଏମସିର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ। କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପଟେ ରାଜଧାନୀ ଉପକଣ୍ଠରେ ବାଣ ତିଆରି ଚାଲିଥିବା ବେଳେ ଚଢ଼ାଉ ହୋଇଛି । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ହୋଇସାରିଛି। ବେଆଇନ ଭାବେ ଗନ ପାଉଡର ଆଣି ବାଣ ତିଆରି କଲେ ବାଣ ସିଜ କରିବା ସହ ସମ୍ପୃକ୍ତ ବାଣୁଆଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ।