ଟ୍ବିନସିଟିରେ ବାଟୁଳି ଗ୍ୟାଙ୍ଗର ଆତଙ୍କ: ଟାର୍ଗେଟରେ ଦାମୀ କାର, ୪ ସଦସ୍ୟ ଗିରଫ

ଭୁବନେଶ୍ବର: ରାସ୍ତା ଉପରେ କାର ଥୋଉଥିଲେ ସାବଧାନ । ଟ୍ବିନସିଟି କଟକ ଓ ଭୁବନେଶ୍ବରରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ ବା ବାଟୁଳି ଗ୍ୟାଙ୍ଗ । ବାଟୁଳି ମାରି କାର୍ କାଚ ଭାଙ୍ଗିବା ପରେ ସେଥିରେ ଥିବା ଲାପଟପ୍, ମୋବାଇଲ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ କରୁଥିଲେ ଲୁଟ୍ । ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ପରେ ପଦାକୁ ଆସିଛି ଏମାନଙ୍କ କଳା କାରନାମା । ଏକ ସପ୍ତାହ ହେବ କଟକ ଓ ଭୁବନେଶ୍ବରରେ ଆତଙ୍କ ମଚାଇଥିବା ଏହି ଗ୍ୟାଙ୍ଗର ୪ ସଦସ୍ୟଙ୍କୁ ଧରିଛି ସ୍ପେଶାଲ ସ୍କ୍ବାର୍ଡ । ଅଭିଯୁକ୍ତଙ୍କ ପାଖରୁ ୪ଟି ଲାପଟପ, ୨୫ ମୋବାଇଲ ଜବତ ।

ଏହି ଗ୍ୟାଙ୍ଗର ସଦସ୍ୟମାନେ ତାମିଲନାଡୁରୁ ଆସିଛନ୍ତି । ସେଠାରୁ ଆସିବା ପରେ ଷ୍ଟେସନରେ ରହିବା ସହ ଅନ୍ୟ ସ୍ଥାନରେ ଘର ଭଡ଼ା ନେଇ ରହୁଥିଲେ । ଚକୋଲେଟ୍ ଜରିରେ ପଥର ବାନ୍ଧି ଏମାନେ ବାଟୁଳି ସାହାଯ୍ୟରେ ରାସ୍ତା ଉପରେ ଛୁଆ ହୋଇଥିବା ଦାମୀ କାରକୁ ଟାର୍ଗେଟ୍ କରୁଥିଲେ । ବାଟୁଳି ମାରି କାର କାଚ ଭାଙ୍ଗିବା ପରେ ଗ୍ୟାଙ୍ଗର ସଦସ୍ୟମାନେ ଉକ୍ତ ସ୍ଥାନକୁ କଭର ଅପ୍ କରୁଥିଲେ ଓ ଜଣେ ଯାଇ କାର ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ଲୁଟ କରୁଥିଲେ । ଏମାନଙ୍କ ନାଁରେ ଭୁବନେଶ୍ବରରେ ୧୦ଟି ଓ କଟକରେ ୧୧ଟି ମାମଲା ରହିଛି । ସେତିକି ନୁହେଁ, ରଥଯାତ୍ରା ସମୟରେ ଏମାନେ ପୁରୀ ଯାଇ ଲୋକଙ୍କ ପକେଟ ମାର୍ କରିଥିବା ମଧ୍ୟ ଜଣାପଡିଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏରାଗୋଲା ଗ୍ୟାଙ୍ଗ ଏମିତି ଷ୍ଟାଇଲରେ ଲୁଟପାଟ କରୁଥିଲା । ଏବେ ତ୍ରିଚା ଗ୍ୟାଙ୍ଗ ସମାନ ଷ୍ଟାଇଲରେ ଲୁଟପାଟ ଚଲାଇଛି । କେବଳ କାର ନୁହେଁ, ମୋ ବସ୍ ସମେତ ବିଭିନ୍ନ ଦୋକାନରୁ ମଧ୍ୟ ଏମାନେ ଲୁଟପାଟ କରିଛନ୍ତି ।

ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଲୁଟେରା ଗ୍ୟାଙ୍ଗଙ୍କଠାରୁ ମିଳିଥିବା ଜିନିଷରୁ ଜଣେ ଓଏଏସ ଅଧିକାରୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କ ଠାରୁ ଲୁଟ୍ ଲାପଟପ ଓ ମନିପର୍ସ ଫେରାଇଛି ପୋଲିସ ।