spot_img

Latest Posts

ବନ୍ୟା ଯୋଗୁଁ ନନ୍ଦାହାଣ୍ଡି ବ୍ଲକ ସାନଡାଇଭଟ୍ଟା ଓ ବଡ଼ଡାଇଭଟ୍ଟା ଗାଁର ହୋଇଛି ବ୍ୟାପକ କ୍ଷତି

ନବରଙ୍ଗପୁର : ଛାଡ଼ିଛି ବନ୍ୟା, ବଢ଼ିଛି ଦୁର୍ଦ୍ଦଶା । ମାଟିରେ ଲୋଟିଯାଇଛି ଅନେକଙ୍କ ଘର । ଆଶ୍ରୟସ୍ଥଳୀରୁ ଫେରିବା ପରେ ଘର ସଜାଡୁଛନ୍ତି ବିପନ୍ନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସାନଡାଇଭଟ୍ଟା ଓ ବଡ଼ଡାଇଭଟ୍ଟା ଗାଁରେ ଦେଖିବାକୁ ମିଳିଛି ଦୃଶ୍ୟ । ପାଣି କମିଛି, କିନ୍ତୁ ଯନ୍ତ୍ରଣା ଏବେ ବି ସହଚର ପାଲଟି ଯାଇଛି । ଗତ ଲଗାଣ ବର୍ଷା ପରେ ଇନ୍ଦ୍ରାବତୀ ଅବବାହିକାର ଅନେକ ଗାଁ ଜଳମଗ୍ନ ହୋଇ ଯାଇଥିଲା । ଲୋକଙ୍କୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଥିଲା । ଏବେ ବିପନ୍ନ ଘରକୁ ଫେରିଛନ୍ତି । ହେଲେ କେଉଁଠି ଆସବାବପତ୍ର କାଦୁଅରେ ପୋତି ହୋଇଯାଇଛି ତ କାହା ଘର ମାଟିରେ ମିଶିଯାଇଛି । ଚାଉଳ, ଡାଲି, ଚିନି ଭଳି ରନ୍ଧନ ସାମଗ୍ରୀ ନଷ୍ଟ ହୋଇଯିବା ଫଳରେ କାହାରି ଘରେ ଚୁଲି ଜଳୁନି । ଚାଷ ଜମିରେ ପାଣି ଲହଡ଼ି ମାରୁଛି । ଯାହାକୁ ନେଇ ଚିନ୍ତାରେ ଲୋକେ ।

ବନ୍ୟା ପାଣି କମିଛି ସତ, ହେଲେ ଅଣ୍ଟା ସଳଖି ପାରୁନାହାନ୍ତି ବିପନ୍ନ । ଉଜୁଡ଼ିଥିବା ଘର ଓ ନଷ୍ଟ ହୋଇଥିବା ଫସଲକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ସରକାରୀ ସହାୟତା ପାଇଁ ଲୋକେ ଦାବି କରୁଥିବାବେଳେ ପ୍ରଶାସନିକ ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରିବା ଆରମ୍ଭ କରିଛନ୍ତି । ନନ୍ଦାହାଣ୍ଡି ବିଡିଓ ଓ ତହସିଲଦାର ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝୁଛନ୍ତି । କ୍ଷୟକ୍ଷତି ଆକଳନ କରି ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

Latest Posts

Don't Miss