ନନ୍ଦିଘୋଷ ବ୍ୟୁରୋ: ସୋସିଆ ମିଡିଆର ଶକ୍ତି ଆଜିର ଦୁନିଆରେ କେତେ ପ୍ରଭାବଶାଳୀ, ତାର ସବୁଠାରୁ ବଡ ଉଦାହରଣ ସାଜିଛି ‘କକ୍ରୋଚ୍ ଜନତା ପାର୍ଟି’ (CJP)। ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ମନ୍ତବ୍ୟକୁ ଅସ୍ତ୍ର କରି ମାତ୍ର କିଛି ଦିନ ମଧ୍ୟରେ ଇନଷ୍ଟାଗ୍ରାମରେ ବିଶ୍ବର ସବୁଠାରୁ ବଡ ରାଜନୈତିକ ଦଳ ବୋଲାଉଥିବା ବିଜେପିକୁ ମଧ୍ୟ ପଛରେ ପକାଇ ଦେଇଛି ଏହି ଭର୍ଚୁଆଲ୍ ଦଳ ।
ବର୍ତମାନ ସୁଦ୍ଧା ଇନଷ୍ଟାଗ୍ରାମରେ ‘କକ୍ରୋଚ୍ ଜନତା ପାର୍ଟି’ର ଫଲୋଅର୍ସ ସଂଖ୍ୟା ସମସ୍ତ ରେକର୍ଡ ଭାଙ୍ଗି ୧୨.୫ ନିୟୁତରେ ପହଞ୍ଚିଛି। ଅପରପକ୍ଷରେ, ଶାସକ ଦଳ ବିଜେପିର ଫଲୋଅର୍ସ ସଂଖ୍ୟା ୮.୭ ନିୟୁତ, ଆମ ଆଦମୀ ପାର୍ଟିର ୧.୯ ନିୟୁତ ଏବଂ କଂଗ୍ରେସର ୧୩.୩ ନିୟୁତ ଫଲୋଅର୍ସ ରହିଛନ୍ତି।
CJI ଙ୍କ ମନ୍ତବ୍ୟରୁ ଜନ୍ମ ନେଲା ଏହି ଦଳ
ଗତ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ମାମଲା ଶୁଣାଣି ବେଳେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଦେଶର କିଛି ବେକାର ଯୁବବର୍ଗଙ୍କୁ ‘କକ୍ରୋଚ୍’ ଏବଂ ପରଜୀବୀ ବୋଲି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ଯେଉଁମାନେ ବୃତ୍ତିଗତ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କରିପାରନ୍ତି ନାହିଁ, ସେମାନେ ଘଟଣାର ଗମ୍ଭୀରତାକୁ ନ ବୁଝି ପ୍ରତ୍ୟେକ ପ୍ରସଙ୍ଗରେ ବ୍ୟବସ୍ଥାକୁ ଟାର୍ଗେଟ କରିଥାନ୍ତି ।
CJI ଙ୍କ ଏହି ମନ୍ତବ୍ୟକୁ ରାଜନୈତିକ ଯୋଗାଯୋଗ ରଣନୀତିଜ୍ଞ ଅଭିଜିତ ଦୀପକେ ଏକ ଆନ୍ଦୋଳନରେ ପରିଣତ କରିଥିଲେ, ଯାହାକୁ ଦେଶର ଯୁବପିଢି ଆପଣେଇଛନ୍ତି ।
କିଏ ଏହି ଅଭିଜିତ ଦୀପକେ ?
୩୦ ବର୍ଷୀୟ ଅଭିଜିତ ଦୀପକେ ହେଉଛନ୍ତି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା । ଅଭିଜିତ ଦୀପକେ ପୁଣେରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ଜନସମ୍ପର୍କ ବିଭାଗରେ ଅଧ୍ୟୟନ କରୁଛନ୍ତି । ସେ ଡିଜିଟାଲ୍ ମିଡିଆ ଏବଂ ରାଜନୈତିକ ବାର୍ତ୍ତା ପ୍ରସାରଣରେ ଜଣେ ବିଶେଷଜ୍ଞ । ୨୦୨୦ ରୁ ୨୦୨୩ ମଧ୍ୟରେ ସେ ଆମ ଆଦମୀ ପାର୍ଟି (AAP) ର ସୋସିଆଲ ମିଡିଆ ଏବଂ ନିର୍ବାଚନ ପ୍ରଚାର ସହ ଜଡ଼ିତ ଥିଲେ । ୨୦୨୦ ଦିଲ୍ଲୀ ନିର୍ବାଚନରେ ଆପ୍ର ପ୍ରସିଦ୍ଧ ‘ମିମ୍-ଆଧାରିତ’ ଡିଜିଟାଲ୍ ଅଭିଯାନ ପଛରେ ତାଙ୍କର ବଡ଼ ହାତ ଥିଲା ।
ଅଭିଜିତଙ୍କ ଏହି ଅଭିଯାନକୁ ବିରୋଧୀ ଦଳର ପ୍ରମୁଖ ନେତା ଯେପରିକି ଟିଏମସି ସାଂସଦ ମହୁଆ ମୋଇତ୍ର, କୀର୍ତ୍ତି ଆଜାଦ ଏବଂ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ୱେବସାଇଟ୍ ଏବଂ ଦଳୀୟ ସଂଗୀତ ରିଲିଜ୍
ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବସାଇଟ୍ ମଧ୍ୟ ସୃଷ୍ଟି କରାଯାଇଛି, ଯାହା ଅଳ୍ପ ଦିନରେ ଲକ୍ଷରୁ ଅଧିକ ଲୋକଙ୍କୁ ଆକର୍ଷିତ କରିସାରିଲାଣି । ଏହି ୱେବସାଇଟ୍ରେ ଦଳ ନିଜକୁ “ଅଳସୁଆ ଏବଂ ବେକାର ଯୁବବର୍ଗଙ୍କ ସ୍ୱର” ବୋଲି ବର୍ଣ୍ଣନା କରିବା ସହ ନିଜର ଦଳୀୟ ସଂଗୀତ ମଧ୍ୟ ଜାରି କରିଛି । ତେବେ ଏହି ଦଳର କୌଣସି ଆନୁଷ୍ଠାନିକ ପଞ୍ଜିକରଣ ହୋଇନାହିଁ ।
କ୍ଷମତାକୁ ଆସିଲେ କଣ କରିବ ସିଜେପି (CJP)?
୧– ଅବସର ପରେ କୌଣସି ମୁଖ୍ୟ ବିଚାରପତିଙ୍କୁ ରାଜ୍ୟସଭାକୁ ପଠାଯିବ ନାହିଁ।
୨– ଜଣେ ପ୍ରକୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଲେ, ନିର୍ବାଚନ କମିଶନଙ୍କ ବିରୋଧରେ ଆତଙ୍କବାଦୀ ବିରୋଧୀ ଆଇନ (UAPA) ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
୩– ମହିଳାମାନଙ୍କ ପାଇଁ ସିଧାସଳଖ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ଓ ବଡ଼ ବ୍ୟବସାୟୀଙ୍କ ସହ ଜଡ଼ିତ ଗଣମାଧ୍ୟମ ସଂସ୍ଥାର ଲାଇସେନ୍ସ ବାତିଲ ହେବ।
୪– ଦଳ ବଦଳାଉଥିବା ନେତାଙ୍କ ସଦସ୍ୟତା ରଦ୍ଦ ହେବ ଏବଂ ୨୦ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲାଗିବ।
କକ୍ରୋଚ୍ ଜନତା ପାର୍ଟି ଦଳରେ ମିଶିବା ପାଇଁ ଯୋଗ୍ୟତା:
. ପ୍ରାର୍ଥୀ ନିଶ୍ଚିତ ଭାବେ ବେକାର ଏବଂ ଅଳସୁଆ ହୋଇଥିବେ
. ଦିନକୁ ଅତିକମରେ ୧୧ ଘଣ୍ଟା ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବେ
ଏହି ରୋଚକ ଓ ବ୍ୟଙ୍ଗାତ୍ମକ ଡିଜିଟାଲ୍ ଆନ୍ଦୋଳନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

