ସିଏମଆଇଇ ରିପୋର୍ଟରେ ଉଦବେଗଜନକ ତଥ୍ୟ: ଅଗଷ୍ଟରେ ବେକାରୀ ହାର ସର୍ବାଧିକ, ହରିୟାଣା ଶୀର୍ଷରେ

1 min read

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡ଼ଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ କେନ୍ଦ୍ର ସରକାର । ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ପ୍ରମୁଖ କ୍ଷେତ୍ର (କୋର୍‌ ସେକ୍ଟର)କୁ ବିକଶିତ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ମଧ୍ୟ ଯୋଜନା କରାଯାଇଥିଲା । ମାତ୍ର ବିଡ଼ମ୍ବନା ହେଉଛି ନିଯୁକ୍ତି ତ ଦୂରର କଥା, ଦେଶର ବେକାରୀ ହାର ଉତ୍କଟ ହେବା ସହ ସମ୍ପ୍ରତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି ।

କୋର ସେକ୍ଟରଗୁଡ଼ିକର ବୃଦ୍ଧି ହାର ୪.୫% ହ୍ରାସ ପାଇବା, ବିଭିନ୍ନ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ, ସର୍ବୋପରି ନିଯୁକ୍ତି ନେଇ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ନ ହେବା ଦେଶର ବେକାରୀ ହାର ବୃଦ୍ଧି ପଛରେ ପ୍ରମୁଖ କାରଣ ହୋଇଥିବା ବିଶେଷଜ୍ଞମାନେ ମନେ କରୁଛନ୍ତି। ବିଶେଷ ଭାବରେ ୮ ପ୍ରମୁଖକ୍ଷେତ୍ର କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରେ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧିହାର ପୂର୍ବ ବର୍ଷ ୨୦୨୧-୨୨ ତୁଳନାରେ ୨୧.୪%ରୁ ୧୧.୫%କୁ ହ୍ରାସ ନିଯୁକ୍ତି କ୍ଷେତ୍ରକୁ ସଙ୍କୁଚିତ କରିଥିବା କୁହାଯାଉଛି ।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ (ସିଏମ୍ଆଇଇ) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଜୁଲାଇ ମାସରେ ଦେଶର ବେକାରୀ ହାର ୬.୮ ପ୍ରତିଶତ ଏବଂ ନିଯୁକ୍ତି ୩୯.୭ କୋଟି ରହିଥିଲା। ମାତ୍ର ଅଗଷ୍ଟ ମାସରେ ଏହି ବେକାରୀ ହାର ବୃଦ୍ଧି ପାଇ ୮.୩%ରେ ପହଞ୍ଚିଛି । ଯାହା କି ସାରା ବର୍ଷ ମଧ୍ୟରେ ସର୍ବାଧିକ ।

ସିଏମ୍ଆଇଇର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି ଯେ ଦେଶର ସହରାଞ୍ଚଳର ଅଗଷ୍ଟ ମାସରେ ବେକାରୀ ହାର ୯.୬% ଏବଂ ଗ୍ରାମାଞ୍ଚଳର ବେକାରୀ ହାର ୭.୭%କୁ ବୃଦ୍ଧି ପାଇଛି । କେବଳ ଗ୍ରାମାଞ୍ଚଳରେ ବେକାରୀ ହାର ଜୁଲାଇରେ ୬.୧ ପ୍ରତିଶତରୁ ଅଗଷ୍ଟରେ ୭.୭ ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ହାର ୩୭.୬ ପ୍ରତିଶତରୁ ୩୭.୩ ପ୍ରତିଶତକୁ ଖସି ଆସିଛି। ଏହି ରିପୋର୍ଟ ବେକାରୀ ହାର କ୍ଷେତ୍ରରେ ହରିୟାଣା ଦେଶର ସବୁଠାରୁ ଖରାପ ସ୍ଥିତିରେ ରହିଛି ।

ଏହି ରାଜ୍ୟରେ ବେକାରୀ ହାର ସର୍ବାଧିକ ୩୭.୩ ପ୍ରତିଶତ ରହିଛି । ଏହା ପଛକୁ ଜମ୍ମୁ କାଶ୍ମୀରରେ ବେକାରୀ ହାର ୩୨.୮ ପ୍ରତିଶତ, ରାଜସ୍ଥାନରେ ୩୧.୪ ପ୍ରତିଶତ, ଝାଡଖଣ୍ଡରେ ୧୭.୩ ପ୍ରତିଶତ ଏବଂ ତ୍ରିପୁରାରେ ୧୬.୩ ପ୍ରତିଶତ ରହିଛି । ସାରା ଦେଶରେ ଛତିଶଗଡ଼ରେ ବେକାରୀ ହାର ସବୁଠୁ କମ୍ । ଏଠାରେ ମାତ୍ର ବେକାରୀ ହାର ୦.୪ ପ୍ରତିଶତ । ସେହିପରି ମେଘାଳୟରେ ୨ ପ୍ରତିଶତ, ମହାରାଷ୍ଟ୍ରରେ ୨.୨ ପ୍ରତିଶତ ରହିଛି ।

ଏହି ରିପୋର୍ଟ ଅନୁସାରେ ଦେଶର ହାରାହାରି ବେକାରୀ ହାର ଓ ଅନ୍ୟ ବଡ଼ ରାଜ୍ୟର ବେକାରୀ ହାରଠାରୁ ଓଡ଼ିଶାର ସ୍ଥିତି ଯତେଷ୍ଟ ଉନ୍ନତ । ଓଡ଼ିଳଶାରେ ଏହି ହାର ମାତ୍ର ୨.୬ ପ୍ରତିଶତ ରହିଛି । ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟର ଯୁବକଯୁବତୀଙ୍କ ଦକ୍ଷତା ବିକାଶ ସହ ସେମାନଙ୍କ ନିଯୁକ୍ତି ନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବିଭାଗର ଖାଲି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ଏବଂ ଆସନ୍ତା ୨୦୨୩ ସୁଦ୍ଧା ଖାଲି ହେବାକୁ ଥିବା ପଦ ଗୁଡିକ ସମ୍ପର୍କରେ ସବିଶେଷ ତଥ୍ୟ ଗ୍ରହଣ କରାଯାଉଛି ।