ଜାଲିଆନାଓ୍ବାଲା ବାଗ ହତ୍ୟାକୁ ୧୦୩ ବର୍ଷ: ୩୭୯ ଭାରତୀୟଙ୍କ ବଳିଦାନକୁ ମନେ ପକାଇଲେ ଯୋଗୀ

ଲକ୍ଷ୍ନୌ: ୧୯୧୯ ଏପ୍ରିଲ ୧୩ ଆଜିର ଦିନ । ୧୦୩ ବର୍ଷ ପୂର୍ବେ ଭାରତ ମାଟିରେ ଜାଲିଆନାଓ୍ବାଲା ବାଗରେ ଇଂରେଜ ଚରିଥିଲେ ଗଣହତ୍ୟା । ୧୦ ମିନିଟରେ ଚିରଦିନ ପାଇଁ ଶୋଇ ଯାଇଥିଲେ ୩୭୯ ଜଣ ଭାରତୀୟ ସ୍ବାଧୀନତା ସଂଗ୍ରାମୀ । ଆଜିର ଏହି ଦିନରେ ଭାରତ ମାତାର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଏହି ସହିଦ ବୀରଙ୍କୁ ମନେ ପକାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଯୋଗୀ ଆଦିତ୍ୟନାଥ ଟ୍ବିଇଟ କରି ଲେଖିଛନ୍ତି, ‘ଦେଶ ସ୍ବାଧୀନତା ପାଇଁ ନିଜ ପ୍ରାଣବଳି ଦେଇଥିବା ଜାଲିଆନାଓ୍ବାଲା ବାଗର ଅମର ବଳିଦାନୀଙ୍କୁ କୋଟି କୋଟି ପ୍ରଣାମ । ମା’ ଭାରତୀଙ୍କ ଏହି ବୀର ପୁତ୍ରଙ୍କ ବଳିଦାନ ସ୍ଥଳ ଜାଲିଆନାଓ୍ବାଲା ବାଗ୍ ଚିରଦିନ ପାଇଁ ଭାରତବାସୀଙ୍କ ହୃଦୟରେ ଦେଶଭକ୍ତିର ଜ୍ୟୋତି ଜଳାଇ ରଖିବ ।’

ସୂଚନାଯୋଗ୍ୟ, ପଞ୍ଜାବର ଅମୃତସରରେ ହୋଇଥିବା ଜାଲିଆନାଓ୍ବାଲା ବାଗ ହତ୍ୟାକାଣ୍ଡ ୧୯୧୯ ଏପ୍ରିଲ ୧୩ ତାରିଖରେ ଘଟିଥିଲା । ଆଜି ଭାରତୀୟଙ୍କ ଏହି ବଳିଦାନକୁ ୧୦୩ ବର୍ଷ ପୂରଣ ହୋଇଛି । ବୈଶାଖର ଏହି ଦିନରେ ଅତ୍ୟାଚାରୀ ଇଂଗ୍ରେଜ ନିରସ୍ତ୍ର ଭାରତୀୟଙ୍କୁ ଗୁଳି ମାରି ରଚିଥିଲା ନରସଂହାର । ଇତିହାସରେ ଲିପିବଦ୍ଧ ଇଂରେଜଙ୍କ ଏହି ଅତ୍ୟାଚାର ଯେବେ ବି ମନେ ପଡେ ଭାରତୀୟଙ୍କ ମନରେ କ୍ରୋଧ, ଦୁଃଖ ଓ ଭାରତୀୟ ହେବା ଗର୍ବ ଜାଗ୍ରତ କରିଥାଏ ।

ରୟାଲଟି ଟ୍ୟାକ୍ସ, ସତ୍ୟପାଲ ଏବଂ ସୈଫୁଦ୍ଧିନ କିଚଲୁଙ୍କ ଗିରଫଦାରୀ ବିରୋଧ କରି ଜାଲିଆନାଓ୍ବାଲା ବାଗରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଲୋକ ଏକତ୍ର ହୋଇଥିଲେ । ଇଂଗ୍ରେଜ ଅଫିସର ଜନେରାଲ ଡାୟର ନିରସ୍ତ୍ର ଲୋକଙ୍କ ଉପରେ ଗୁଳି ଚଲାଇବାକୁ ଆଦେଶ ଦେଇଥିଲେ । ଜୀବନ ବଞ୍ଚାଇବାକୁ ଲୋକଙ୍କ ପାଖରେ ସମୟ ମଧ୍ୟ ନଥିଲା । ପାର୍କରୁ ବାହାରିବାକୁ ଥିଲା ଏକମାତ୍ର ସଂକୀର୍ଣ୍ଣ ରାସ୍ତା । ଯାହାକୁ ଇଂଗ୍ରେଜ ସିପାଇ ବନ୍ଦ କରି ଦେଇଥିଲେ । ପାର୍କକୁ ଚାରିପଟୁ ଘେରି ଇଂଗ୍ରେଜ ସିପାଇ ୧୦ ମିନିଟ ଧରି ଆଖିବୁଜା ଗୁଳି ଚଲାଇଥିଲେ । ଏପରି ବି ହୋଇଥିଲା, କିଛି ଲୋକ ଜୀବନ ବଞ୍ଚାଇବାକୁ ପାର୍କରେ ଥିବା କୂଅକୁ ଡେଇଁ ପଡିଥିଲେ । ବ୍ରିଟିସ୍ ସରକାରଙ୍କ ଏକ ରୁପୋର୍ଟ ଅନୁସାରେ ଏହି ଘଟଣାରେ ୩୭୯ ଭାରତୀୟ ସହିଦ ହୋଇଥିଲେ ଏବଂ ୧୨ ଶହରୁ ଅଧିକ ଲୋକ ଆହତ ହୋଇଥିଲେ ।