ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ : କହିଲେ,ସବୁ ବର୍ଗର ଲୋକଙ୍କୁ ନେଇ ଆଗକୁ ବଢୁଛି ଓଡ଼ିଶା
1 min read
ଭୁବନେଶ୍ୱର : ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏବଂ ରାଜ୍ୟବାସୀଙ୍କୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ସ୍ପେଶ୍ ରିସର୍ଚ୍ଚ କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି ।
ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିପ୍ରସ୍ତର ସ୍ଥାପନ ଆଦି ବିକାଶର ସବୁ କ୍ଷେତ୍ରରେ 5-T ଆଧାରରେ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ ତଥା ମଧ୍ୟବିତ୍ତ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି। ଓଡିଶାର ଅର୍ଥନୀତି ମଜବୁତ ହେଉଛି, ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଗରିବ ଲୋକର କଲ୍ୟାଣ ମୋ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଚାଷୀ, ଶ୍ରମିକ ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର କାମ କରୁଛି । ନିକଟରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଆଉ ୫୦ଟି ଗୋଷ୍ଠୀର ଶ୍ରମିକମାନଙ୍କୁ ଏବେ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ମଧୁବାବୁ ପେନ୍ସନ୍ ଯୋଜନାରେ ମଧ୍ୟ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଗଲା । ଓଡିଶାର ବିକାଶରେ ସମସ୍ତଙ୍କର ଭାଗୀଦାର ଅଛି, ଅଧିକାର ଅଛି । ସମସ୍ତଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମା’ମାନେ ହେଉଛନ୍ତି ଆମର ବିକାଶର ପ୍ରତିଛବି । ମା’ମାନଙ୍କ ସଶକ୍ତିକରଣ ଓଡିଶାର ସଶକ୍ତିକରଣ । ମିଶନ ଶକ୍ତି ଆଜି ମା’ମାନଙ୍କ ରୂପାନ୍ତରଣର ଇଂଜିନ୍ ହୋଇଛି । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ଉଦ୍ୟୋଗୀ ହେବା ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେ ହିଁ ଏକ ସମୃଦ୍ଧ ଓଡିଶା, ଏକ ନୂଆ ଓଡିଶାର ଆଧାର ହୋଇଛନ୍ତି । ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି ।
ବିପର୍ଯ୍ୟୟ ପରିଚାଳନା ହେଉ ବା ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ହେଉ ବା ଶିକ୍ଷା, ଭିତ୍ତିଭୂମି, ସବୁ କ୍ଷେତ୍ରରେ ମୋ ଓଡିଶା ଏବେ ମଡ଼େଲ ହୋଇଛି । ଆମର ପ୍ରତି ଗାଁ, ପ୍ରତି ପଞ୍ଚାୟତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ମହାପ୍ରଭୁ ହିଁ ଆମ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ସହ ପ୍ରତି ଗାଁରେ ଏକ ଆକାଂକ୍ଷୀ ଓଡ଼ିଶାର ଭିତ୍ତି ପକାଇବା ପାଇଁ ଆମେ ଚାରି ହଜାର କୋଟି ଟଙ୍କାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୋ ଓଡିଶା ଏକ ନୂଆ ଓଡିଶା, ସଶକ୍ତ ଓଡ଼ିଶା ହେବା ରାସ୍ତାରେ ଆଗକୁ ବଢୁଛି । ତେଣୁ ରୂପାନ୍ତରର ଏ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।