ବିକାଶଶୀଳ ବଜେଟ, ଗରିବୀ ଆହୁରି ହ୍ରାସ କରିବ: ନବୀନ

1 min read

ନନ୍ଦିଘୋଷ ବ୍ୟୁରୋ: ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ  । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ଓ ଗରିବ ଅନୁକୂଳ ବଜେଟ୍ ସରକାର ଆଣିଛନ୍ତି  । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ନବୀନ ଦର୍ଶାଇଛନ୍ତି ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି  । ଏହା ସବୁ ଦୃଷ୍ଟିରୁ ଏକ ଐତିହାସିକ ବଜେଟ୍  । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି  । ଉନ୍ନତ ଜୀବନ ସହ ଜୀବିକା ଯୋଗାଣକୁ ମଧ୍ୟ ସରକାର ବଜେଟରେ ଫୋକସ୍ କରିଛନ୍ତି  । ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି  । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି  । ଏହା ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ  । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି  । ଯାହା  ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି  । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି  ।