୨୨ରେ ବାଲେଶ୍ୱର ଗସ୍ତରେ ଯାଇ ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ବର ବିକାଶରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଆସନ୍ତା 22 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଗସ୍ତରେ ଆସି ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ କରିବା ସହିତ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ଏନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଯୋରଦାର କରାଯାଇଛି । ଆଜି ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ପ୍ରତାପ ଦେବ ପୋଲିସ ଲାଇନ୍‌ ପଡ଼ିଆ ସଭାସ୍ଥଳକୁ ବୁଲି ଦେଖିବା ସହିତ ସ୍ଥିତିର ସମୀକ୍ଷା କରିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ସ୍ଥାନୀୟ ଲୋକେ । ଜିଲ୍ଲାର 12ଟି ବ୍ଲକ୍ ସମେତ ବାଲେଶ୍ବର, ସୋର, ଜଳେଶ୍ବର ମ୍ୟୁନିସିପାଲିଟି ଓ ରେମୁଣା, ନୀଳଗିରି ଏନ୍‌ଏସିର ମୋଟ 364 କୋଟି 61ଲକ୍ଷ ଟଙ୍କାର 57 ପ୍ରକଳ୍ପକୁ ଲୋକର୍ପିତ କରିବେ । ସେହିପରି 1ହଜାର 42 କୋଟି 69 ଲକ୍ଷ ଟଙ୍କାର 104ଟି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ ।

ସେଗୁଡିକ ମଧ୍ୟରେ ରହିଛି ସୋମନାଥପୁର ରେଳ ବ୍ରିଜ୍‌, ହଳଦୀପଦା ଠାରୁ ଦୀଘା ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ସଡ଼କ, ହରଗଙ୍ଗା ପୋଖରୀ ନବୀକରଣ, ସୂବର୍ଣ୍ଣରେଖା ନଦୀ ଉପରେ ପୋଲ, ଚାନ୍ଦିପୁର ପାଇଁ ସ୍ବତନ୍ତ୍ର ବିଦ୍ୟୁତ୍‌ ଗ୍ରିଡ଼ ଷ୍ଟେସନ୍‌ ଭଳି ଅନେକ ପ୍ରକଳ୍ପ । ମୁଖ୍ୟନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ଲାଇନ୍‌ ପଡ଼ିଆରେ ହେଲିପ୍ୟାଡ଼ ନିର୍ମାଣ ସହିତ 15 ହଜାରରୁ ଅଧିକ ଲୋକଙ୍କ ବସିବା ପାଇଁ ସ୍ବତନ୍ତ୍ର ଟେଣ୍ଟ ପ୍ରସ୍ତୁତ କରାଯାଇଛି ।

12ଟି ବ୍ଲକ୍‌ରୁ ଆସିବାକୁ ଥିବା ଲୋକ ମାନଙ୍କ ପାଇଁ ଟ୍ରାଫିକ୍‌ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି । ଟେକ୍‌ନିକାଲ ଫିଲଡ, ଫକୀର ମୋହନ କଲେଜ ପଡ଼ିଆ, ଆଇଟିଆଇ ପଡ଼ିଆ ଭଳି 5ଟି ପଡ଼ିଆରେ ଗାଡ଼ି ପାର୍କିଂ ପାଇଁ ସୁବିଧା କରାଯାଇଛି । ଜିଲ୍ଲା ପୋଲିସ ତରଫରୁ ଏସ୍‌ପିଙ୍କ ନେତୃତ୍ବରେ 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡ଼ିଏସ୍‌ପି, 11 ଜଣ ଇନ୍ସପେକ୍ଟରଙ୍କ ସହିତ ଫୋର୍ସ ମୁତୟନ କରାଯିବ ।