କାଲିଠୁ ଦୁବାଇ ଯାତ୍ରା: ମଧ୍ୟପ୍ରାଚ୍ୟ ପୁଞ୍ଜିପତିଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିବେ ନବୀନ

1 min read

ରୋମ: ଆଜି ସରୁଛି ରୋମ ରହଣୀ, କାଲିଠୁ ଦୁବାଇ ଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖରେ ଦୁବାଇରେ ପହଞ୍ଚିବେ । ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ଆଲୋଚନା କରିବେ । ଦୁବାଇ ରାଜରାସ୍ତାରେ ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ ବି ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍ ମଧ୍ୟ ବୈଠକରେ ଯୋଗ ଦେବେ । ପେଟ୍ରୋ-କେମିକାଲ, ପେଟ୍ରାଲିୟମ କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରୀ ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ରହିଛି ଫୋକସ । ଏପଟେ ୟୁରୋପରେ ପ୍ରବାସୀ ଓଡ଼ିଆଙ୍କୁ 5T ସଚିବ ବିଗତ ଦୁଇ ଦଶନ୍ଧୀରେ ଓଡ଼ିଶାରେ ଆସିଥିବା ପରିବର୍ତ୍ତନ ବିଷୟରେ ବୁଝାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏମାନଙ୍କ ସହ କରିଛନ୍ତି ଭାବ ବିନିମୟ ।

ବିଦେଶ ଗସ୍ତରେ ଥାଇ ବି ଚାଲିଛି ସରକାରୀ କାମ । ଲାପଟପରେ ଓସୱାସ ପୋର୍ଟାଲରେ ଚାଲିଛି ସରକାରୀ କାମ ଓ ଦୁବାଇ ପୁଞ୍ଜିତପତି ସମ୍ମିଳନୀ ପାଇଁ ପ୍ରସ୍ତୁତି । ରୋମରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲା ପାଠ ପଢାଇବା ପରେ ଏବେ ଦୁବାଇ ଗସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁବାଇରେ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ୨୯ ତାରିଖରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । କରୋନା ସମୟରେ ବି ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହୋଇଛି । ଦୁବାଇରେ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ସହିତ ପେଟ୍ରୋ କେମିକାଲ୍ସ, ପେଟ୍ରୋଲିୟମ ସେକ୍ଟର ଏବଂ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ଉପରେ ଫୋକସ ରହିବ । ଓଡ଼ିଶାରେ ଥିବା ଶିଳ୍ପ ବାତାବରଣ, ଲ୍ୟାଣ୍ଡ ବ୍ୟାଙ୍କ, ଇନଭେଷ୍ଟମେଣ୍ଟକୁ ଗ୍ରାଉଣ୍ଡ ଜିରୋରେ ରୂପାୟନ ପର୍ଯ୍ୟନ୍ତ ସରକାରଙ୍କ ସହଜ ଓ ସମୟ ଉପଯୋଗୀ ବ୍ୟବସ୍ଥା ବାବଦରେ ମୁଖ୍ୟମନ୍ତ୍ରୀ ଓ ଟିମ୍ ଓଡ଼ିଶା ପୁଞ୍ଜପତିଙ୍କ ସହ ଆଲୋଚନା କରିବେ ।

୨୬ ତାରିଖରେ ରୋମରୁ ଦୁବାଇ ବାହାରିବେ ମୁଖ୍ୟମନ୍ତ୍ରୀ । ରୋମ ରହଣୀରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମନ ଖୋଲି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କାହାର ସଂଘର୍ଷପୂର୍ଣ୍ଣ କାହାଣୀ ଶୁଣି ଭାବବିହ୍ବଳ ହୋଇଛନ୍ତି ତ ପୁଣି କାହାର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି । ଏହି ସମୟରେ ଗତ ୨୨ ବର୍ଷରେ ଓଡ଼ିଶାରେ ଆସିଥିବା ରୂପାନ୍ତରଣ ନେଇ ପ୍ରବାସୀ ଓଡ଼ିଆଙ୍କୁ ଅବଗତ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ଖାଦ୍ୟ ନିରାପତ୍ତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତୀକରଣ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଓଡ଼ିଶାରେ ଯେଉଁ ପରିବର୍ତ୍ତନ ଆସିଛି, ସେ ବିଷୟରେ କହିଛନ୍ତି  5T ସଚିବ ।

ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଦିଲ୍ଲୀ ଫେରି ସେହି ଦିନ ରାତିରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।