ଗାଁ ଗାଁରେ ହେବ ଐତିହ୍ୟ ସ୍ଥଳର ବିକାଶ, ଜଗନ୍ନାଥ ସଂସ୍କୃତିର ହେବ ପ୍ରସାର

ଭୁବନେଶ୍ୱର :  ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାଁ ଗାଁରେ ଐତିହ୍ୟ ସ୍ଥଳର ବିକାଶ କରାଯିବ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ମଧ୍ୟ କରାଯିବ । ଡିଜିଟାଲ ସଂଯୋଗୀକରଣ ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ମିଶନ ଶକ୍ତି ପାଇଁ ଅତିରିକ୍ତ ଭିତ୍ତିଭୂମି ସୃଷ୍ଟି ହେବା ସହ କ୍ରୀଡ଼ାର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଭର୍ଚୁଆଲରେ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ । ବ୍ଲକ ଓ ଜିଲ୍ଲାସ୍ତରରେ ବି ଏହି ଯୋଜନା ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଗତ ଜୁଲାଇ ୧୦ତାରିଖରେ ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ୪ହଜାର କୋଟି ବ୍ୟୟ ଅଟକଳକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ଯୋଗାଇବାକୁ ଡିଜିଟାଲ ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯିବ ।

ଗାଁମାନଙ୍କରେ ଥିବା ଧାର୍ମିକ ପୀଠର ବିକାଶ, ଐତିହ୍ୟସ୍ଥଳର ଉନ୍ନତିକରଣ ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ମିଳିବ । ମହିଳା, ଯୁବକଙ୍କୁ ସଶକ୍ତ କରିବାକୁ ଯୋଜନା ହାତକୁ ନିଆଯିବ । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଥିବା କ୍ରିଟିକାଲ ଗ୍ୟାପ ପୂରଣ ପାଇଁ ଅନୁଦାନ ମିଳିବ। ଏହା ସହ ପ୍ରତି ଗାଁରେ ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ଗାଁ ପିଲାଙ୍କ ପାଇଁ ହକି, ଫୁଟବଲ, ଭଲିବଲ, ବାସ୍କେଟ ବଲ, କ୍ୟାରମ, ଚେସ୍ ଉପକରଣ ଯୋଗାଇବାକୁ ପ୍ରତି ପଞ୍ଚାୟତକୁ ଅଢେଇ ଲକ୍ଷ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ ଏହି ଯୋଜନା ଆରମ୍ଭ ହେବାକୁ ଯାଉଥିବା ବେଳେ ଗ୍ରାମାଞ୍ଚଳ ବିକାଶକୁ ଅଧିକ ଫୋକସ କରାଯିବ।