ଜହ୍ନର ତୋଫା ଆଲୁଅ ତଳେ ପ୍ରକୃତିକୁ ଉପଭୋଗ କରୁଛନ୍ତି ନବୀନ

ନନ୍ଦିଘୋଷ ବ୍ୟୁରୋ:  ଆକାଶରେ ଉଇଁଛି ପୁନେଇ ଜହ୍ନ  । ମାଟିରେ ହସୁଛି ତରୁ ଠାରୁ ଲତା  । ପ୍ରକୃତିର ଏଭଳି ଅପରୂପ ମୂହୂର୍ତ୍ତରେ ପ୍ରାଣଭରି ଉପଭୋଗ  । ପ୍ରକୃତିକୁ ସର୍ବଦା ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି  ।   ସ୍ୱଳ୍ପ କଥା, ମୁହଁରେ ସ୍ମିତହାସ୍ୟ ଆଉ ନମ୍ର ସ୍ୱଭାବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ନିଆରା ବ୍ୟକ୍ତିତ୍ୱ ସବୁବେଳେ ଅନ୍ୟମାନଙ୍କ ପାଇଁ ଆକର୍ଷଣର ବିନ୍ଦୁ ପାଲଟି ଆସିଛି।

ବିଶେଷକରି ପ୍ରକୃତିପ୍ରେମୀ ଭାବେ ନବୀନ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରବିବାର କୁମାର ପୂର୍ଣ୍ଣିମା ଅବସରରେ ନବୀନଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌‌ ଚର୍ଚ୍ଚା ସାଉଁଟିଛି। ଭିଡିଓଟିରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ନବୀନ ନିବାସରେ ଖୋଲା ଆକାଶ ତଳେ ନିରୋଳା ବାତାବରଣ ମଧ୍ୟରେ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖାଯାଉଛି।

ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ସାଙ୍ଗରେ ଅଛନ୍ତି ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ  । ଜହ୍ନର ତୋଫା ଆଲୁଅ ତଳେ ନବୀନ ପ୍ରକୃତିକୁ ଉପଭୋଗ କରୁଛନ୍ତି  । ବେଶ ଖୁସି ଓ ଆନନ୍ଦ ଅନୁଭବ ହେଉଛନ୍ତି  ।  ଏପରି ଉପଭୋଗ କରୁଥିବାର ଦୃଶ୍ୟକୁ ସୋସିଆଲ ମିଡିଆ ୟୁଜର୍ସ ବେଶ୍‌‌ ପ୍ରଶଂସା କରିଛନ୍ତି।