ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ୪ଲକ୍ଷ ୩୬ହଜାର ୯୪୮ ସ୍ମାର୍ଟ କାର୍ଡ ପ୍ରଦାନ କରିବେ

ରାଉରକେଲା: ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତରେ ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୧୫ ଲଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ଆଜି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ମନ୍ତ୍ରୀ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।

ଏଥିସହିତ ପଢ଼ନ୍ତୁ: ବଦଳୁଛି ଗାଁର ଚିତ୍ର: ଗାଁରେ ଲୋକେ ପାଉଛନ୍ତି ସହରୀ ସୁବିଧା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି । ଆଜି ଦିନ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୫ରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସେହିପରି ୫୮୦ କୋଟି ୮୨ ଲଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୦୪ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

Leave a Reply