ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ବର: ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରସାନନ୍ଦ ସାହୁଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଅମର ଆତ୍ମାର ସଦଗତି ନେଇ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଲୋକଙ୍କ ହିତ ପାଇଁ ଜନପ୍ରତିନିଧି ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ନବୀନ । ଆଜି ଆଠଗଡ଼ ଓ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ପରିବହନ ନିଗମର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ସାହୁଙ୍କ ପରଲୋକ ହୋଇଯାଇଛି । ୮୯ ବର୍ଷ ବୟସରେ ଆଠଗଡ଼ ଗୁରୁଡ଼ିଝାଟିଆ ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । କଂଗ୍ରେସ ଦଳରୁ ୧୯୮୦ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ଓ ୧୯୮୫ରୁ ୧୯୯୦ ଟାଙ୍ଗୀ ଚୌଦ୍ବାର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୦ରେ କଂଗ୍ରେସ ସରକାରଙ୍କ ପକ୍ଷରୁ ତାଙ୍କୁ ଓଡ଼ିଶା ପରିବହନ ନିଗମ  ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ଦେହାନ୍ତ ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।