ବିଦେଶ ଗସ୍ତରେ ବାହାରିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ
1 min read
ଭୁବନେଶ୍ୱର: ବିଦେଶ ଗସ୍ତରେ ବାହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୦ ତାରିଖରୁ ରୋମ ଓ ଦୁବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ । ୨୦ ତାରିଖରେ ଦିଲ୍ଲୀରୁ ରୋମ ଓ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ, ଯୋଗାଣ ସଚିବ ଭି.ଭି ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର ରବି କାନ୍ତ ମୁଖ୍ୟମନ୍ତ୍ରୀ ସହ ବିଦେଶ ଗସ୍ତରେ ଯିବେ।
ରାଜ୍ୟରେ ଖାଦ୍ୟ ସୁରକ୍ଷା ନେଇ ଗ୍ରହଣ କରାଯାଇଥିବା ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ମତ ବିନିମୟ କରିବାକୁ ୱାର୍ଲଡ ଫୁଡ ପ୍ରୋଗ୍ରାମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ରୋମ ସ୍ଥିତ ୱାର୍ଲଡ଼ ଫୁଡ ପ୍ରୋଗ୍ରାମର ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲା ରଣନୀତି ସମ୍ପର୍କରେ ନିଜର ଅନୁଭୁତି ଓ ସଫଳତାର ଚିତ୍ର ଉପସ୍ଥାପନା କରିବେ ମୁଖ୍ୟମନ୍ତ୍ରୀ । ଗୋଟେ ସମୟରେ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ବେଳେ ଏବେ ଓଡ଼ିଶା ଖାଦ୍ୟ ଉତ୍ପାଦନରେ ବଳକା ରାଜ୍ୟ। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଖାଦ୍ୟଶସ୍ୟ ଯୋଗାଉଛି ଓଡିଶା। ୧୯୯୯ ମହାବାତ୍ୟା ଓଡିଶାର ଚିତ୍ର ବଦଳାଇଦେଇଥିଲା। ଏବେ କିନ୍ତୁ ଓଡିଶା ବିପର୍ଯ୍ୟୟ ମୁକାବିଲାରେ ଏକ ମଡେଲ ରାଜ୍ୟ। ଓଡିଶାର ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି ।
ରୋମରେ ମୁଖ୍ୟମନ୍ତ୍ରୀ ୱାର୍ଲଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବେସଲି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ୱାର୍ଲଡ ଫୁଡ ପ୍ରୋଗ୍ରାମ ସହ ସହଭାଗିତାରେ ନୂଆ କାର୍ଯକ୍ରମ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ରୋମରେ ରହଣୀ ସମୟରେ ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ ଫ୍ରାନସିସ୍ଙଙ୍କୁ ଭାଟିକାନରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିବ । ୟୁରୋପରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭେଟି ରାଜ୍ୟର ସାଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳା ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତରଣ ପ୍ରକ୍ରିୟାରେ ପ୍ରବାସୀ ଓଡିଆମାନେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବେ ।
ରୋମରୁ ଫେରିବା ସମୟରେ ଦୁବାଇରେ ଜୁନ ୨୯ ତାରିଖରେ ପୁଂଜିପତି ସମ୍ମଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଦୁବାଇରେ ମିଡିଲ ଇଷ୍ଟ ପୁଂଜିନିବେଶକାରୀଙ୍କ ସହ ରାଜ୍ୟରେ ପୁଂଜିନିବେଶ ନେଇ ଚର୍ଚ୍ଚା କରିବେ ମୁଖ୍ୟମନ୍ତ୍ରୀ । ଓଡିଶା ଏବେ ପୁଂଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିଥିବା ବେଳେ ଶିଳ୍ପ ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି ରାଜ୍ୟ ସରକାର । ଓଡିଶାରେ ବୈଦେଶିକ ପୁଂଜିନିବେଶ ନେଇ ଶିଳ୍ପ ବିଭାଗର ଏକ ପ୍ରତିନିଧି ଦଳ ପୁଂଜିନିବେଶକାରୀଙ୍କ ସହ ଆଲୋଚନା କରିବେ । ରାଜ୍ୟରେ ଗତ ଦୁଇ ଦଶନ୍ଧୀ ଧରି ଚାଲିଥିବା ରୂପାନ୍ତରଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ମୁଖ୍ୟମନ୍ତ୍ରୀ ମିଡିଲ ଇଷ୍ଟରେ ରହୁଥିବା ପ୍ରବାସୀ ଓଡିଶାଙ୍କୁ ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ।