‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବଢିବ ଗୁଣାତ୍ମକ ଶିକ୍ଷାର ଆଦର । ଏଥିପାଇଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ପାଠପଢାରେ ଏକ ପ୍ରତିଯୋଗିତାମୂଳକ ମନୋଭାର ସୃଷ୍ଟି ହେବ । ଭୁବନେଶ୍ବର ସ୍ଥିତ ୟୁନିଟ୍ ୯ ସୁରଭିର ଉଦଯାପନୀ ଉତ୍ସବରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିପାଇଁ ଶହେ କୋଟି ଟଙ୍କା ହେବ ଖର୍ଚ୍ଚ । ୫୦ ହଜାର ସ୍କୁଲ ଓ ୧୫ ଶହ ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲ ସହ ଜଡ଼ିତ କର୍ମଚାରୀଙ୍କୁ ସେମାନଙ୍କ ଶ୍ରେଷ୍ଠତା ନେଇ ମିଳିବ ପୁରସ୍କାର । ଏହି ଅବସରରେ ସମୟାନୁବର୍ତ୍ତି ହୋଇ ଶିକ୍ଷା ସହ ନିଜର ବୌଧିକ ଜ୍ଞାନର ବିକାଶ କରିବାକୁ ପିଲାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ପିଲାଙ୍କ ସୁବିଧା ପାଇଁ ଆରମ୍ଭ ହୋଇଛି ଡିଜି ଲକର ସୁବିଧା । ଏହାଦ୍ବାରା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅନଲାଇନରେ ପାସଓ୍ବାର୍ଡ ଦେଇ ନିଜର ଡକ୍ୟୁମେଣ୍ଟକୁ ସହଜରେ ଡାଉନଲୋଡ କରିପାରିବେ । ଏହାସହ ମୋ ସ୍କୁଲକୁ ୫ ବର୍ଷ ପୂରିଥିବାରୁ ଏହାର ସଫଳ ଯାତ୍ରାକୁ ନେଇ ଏକ କଫିଟେବୁଲ ବହିର ଉନ୍ମୋଚନ କରାଯାଇଛି । ସେହିପରି ପିଲାମାନଙ୍କ ଲେଖା ଓ ପ୍ରତିଭାକୁ ନେଇ ଏକ ମ୍ୟାଗାଜିନ ଓ ନ୍ୟୁଜ୍ ଲେଟର ଉନ୍ମୋଚନ କରାଯାଇଛି । ଆଜି ୩ ଦିନିଆ ସୁରଭି ୨୦୨୨ ଉଦଯାପନୀରେ ୩୦ ଜିଲ୍ଲାରୁ ୨୨ ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।