କେନ୍ଦୁଝର ବିକାଶ ପାଇଁ ତତ୍ପର ଥିଲେ ବିଜୁ ବାବୁ : ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଇସ୍ପାତ କାରଖାନା ନିଷ୍ପତ୍ତିକୁ ଜିଲ୍ଲାବାସୀଙ୍କ ସ୍ଵାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲାବାସୀ । ଧନ୍ୟବାଦ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଖଣି ସମୃଦ୍ଧ କେନ୍ଦୁଝରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ତାଙ୍କ ବହୁ ଦିନର ଇଚ୍ଛା ଥିଲା । ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକମାନଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ । ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ପ୍ରକଳ୍ପ ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ । କେନ୍ଦୁଝରରେ ଖୁବଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । କେନ୍ଦୁଝରରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ଵାରା ସାରା ଜିଲ୍ଲାର ପ୍ରତି ଘରେ ଘରେ ପାଇପ ଯୋଗେ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ତତ୍ ସହିତ ଜିଲ୍ଲାର ରାସ୍ତାଘାଟ ଉନ୍ନତି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଛନ୍ତି । ଏଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣିଥରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରେମାନନ୍ଦ ନାୟକ , ସାଂସଦ ଚନ୍ଦ୍ରାଣୀ ମୁର୍ମୁ , ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଜିଲ୍ଲାର ବିଧାୟକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ୍‌ ଟେଷ୍ଟିଂ: ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

Leave a Reply