ଚତୁର୍ଥ ପର୍ଯ୍ୟାୟରେ ୩୬୧ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷା ବିପ୍ଲବ । ସାରା ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରଣ । ଆଉ ରୂପାନ୍ତରଣ ଏମିତି ଯେ, ଘରୋଇ ସ୍କୁଲର ଭ୍ରମ ସୃଷ୍ଟି ହେବ । 5T ଉପକ୍ରମରେ ଏମିତି ବଦଳୁଛି ସ୍କୁଲର ଚିତ୍ର । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଯୋଗାଇ ଦିଆଯାଉଛି ହାଇଟେକ ସୁବିଧା । ଆଜି ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ୫ଟି ଜିଲ୍ଲାର ୩୬୧ ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନର ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସ୍କୁଲ ରୂପାନ୍ତର ଓଡ଼ିଶା ଜାତିର ପ୍ରଗତୀରେ ପ୍ରମୁଖ ଭୂମିକା ନେବ । ଜୀବନରେ ସଫଳ ହେବାକୁ ହେଲେ 5T ନୀତି ଗ୍ରହଣ କର । ସବୁ କ୍ଷେତ୍ରରେ ସାଧୁତା ରଖ । ସମୟର ସଦୁପଯୋଗ କଲେ ସବୁ ବେଳେ ଆଗରେ ରହିବ ।’

ଆଗକୁ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭୯୪ ସ୍କୁଲ ରୂପାନ୍ତର ହେଉଛି । ଏହି ରୂପାନ୍ତର କାମ ଶୀଘ୍ର ସରିବ । ଓଡ଼ିଶାରେ ଏବେ ରୂପାନ୍ତର ଯୁଗ ଚାଲିଛି । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଓ ରାସ୍ତାଘାଟର ରୂପାନ୍ତର କରାଯାଉଛି ।’