ଶୁକ୍ରବାର ମୟୂରଭଞ୍ଜ ଆସିବେ ନବୀନ, ଜଳସେଚନ ପ୍ରକଳ୍ପର କରିବେ ଶୁଭାରମ୍ଭ

ଭୁବନେଶ୍ୱର: ଆସନ୍ତାକାଲି ମୟୂରଭଞ୍ଜ ଗସ୍ତ କରି ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ୧୭ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ମୟୂରଭଞ୍ଜର ୧୧ହଜାର ୬୮୮ ହେକ୍ଟର ଓ ବାଲେଶ୍ବରର ୫,୪୩୩ ହେକ୍ଟର ଚାଷ ଜମି ଜଳସେଚିତ ହେବ। ମୟୂରଭଞ୍ଜର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ। ସେହିପରି କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

୧୯୯୨ ମସିହାରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ। ବାପାଙ୍କ ସ୍ବପ୍ନକୁ ପୂରଣ କରିବେ ପୁଅ। ପ୍ରାୟ ୫୮ କିମି ଲମ୍ବା କେନାଲର ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ହଜାର ୯ଶହ ହେକ୍ଟର ଚାଷଜମି ଜଳସେଚିତ ହେବ। ପଡ଼ୋଶୀ କେନ୍ଦୁଝର ସାହାରପଡା ବ୍ଲକର ୩୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ  ।

କରଞ୍ଜିଆ ବ୍ଲକର ହାତୀବାରିରେ ଦେଓ ପ୍ରକଳ୍ପ ଓ ରାସଗୋବିନ୍ଦପୁର ଟିକପଦାରେ ସୁବର୍ଣରେଖା ପ୍ରକଳ୍ପ ଲୋକାର୍ପିତ ହେବ। ପରୀକ୍ଷାମୂଳକ ଭାବେ ଉଭୟ ପାର୍ଶ୍ଵ ବାମ ଓ ଡାହାଣ କେନାଲରେ ପାଣି ଛଡାଯିବ। ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲାର ପ୍ରାୟ ୩୦ହଜାରରୁ ଅଧିକ ହେକ୍ଟର ଚାଷ ଜମି ଜଳସେଚିତ ହେବ। ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।