ଥୋମାସ କପ୍ ବିଜେତା ଦଳ ଓ ଗୋପୀଚାନ୍ଦଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ୱର: ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଥୋମାସ୍ କପ୍ ଜିତିଥିବା ଭାରତୀୟ ଦଳର ସମସ୍ତ ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କୃତ କରାଯାଇଥିଲା । ଥୋମାସ କପ୍ ବିଜେତା ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ  କରାଯାଇଥିଲା । ୧୪ ଥର ଥୋମାସ କପ୍ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଶ୍ୱ ଚାମ୍ପିଅନଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶ ପାଇଁ ଥୋମାସ କପ୍ ବିଜୟ ଏକ ଐତିହାସକ ମୁହୂର୍ତ୍ତ । ବ୍ୟାଡମିଣ୍ଟନ ଭଳି ଖେଳରେ ଭାରତ ଉତ୍କର୍ଷତା ହାସଲ କରିଛି । ବ୍ୟାଡମିଣ୍ଟନରେ ଦେଶରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ୧୦ ବର୍ଷ ହେଲା ଭାରତ ଅନ୍ତର୍ଜାତୀୟ ସ୍ତରରେ ବଢ଼ିଆ ଖେଳିଆସୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।