ଗଣମାଧ୍ୟମ ଲୋକଙ୍କ ସମସ୍ୟା ସମ୍ବଳିତ ଖବରରେ ମାତୁ: ନବୀନ

ଭୁବନେଶ୍ବର: ପ୍ରମେୟ, ନ୍ୟୁଜ୍ ୭ ଓ ପ୍ରମେୟ ଡିଜିଟାଲ ଓ୍ବିଙ୍ଗର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, ପ୍ରମେୟ, ନ୍ୟୁଜ୍ ୭ ଓଡ଼ିଶାର ଏକ ଅଗ୍ରଣୀ ମିଡିଆ ହାଉସ୍ ଭାବରେ ଦାୟିତ୍ଵର ସହ ତାର ଭୂମିକା ନିର୍ବାହ କରିଚାଲିଛି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଖବର, ବିଭିନ୍ନ ଅଞ୍ଚଳର ଖବର ଲୋକଲୋଚନକୁ ଆଣି ଲୋକଙ୍କ ବିଶ୍ୱାସ ହାସଲ କରିପାରିଛି ।

ବାର୍ଷିକ ଉତ୍ସବ ଅବସରରେ ପ୍ରମେୟ ପରିବାର କୁ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ କହିଲେ ସାଂପ୍ରତିକ ସମୟରେ ଗଣମାଧ୍ୟମ ସବୁଠି ନିଜର ସ୍ଥିତି ଜାହିର କରିପାରିଛି । ଗଣମାଧ୍ୟମ ନିଷ୍ଠାର ସହ ସତ୍ୟର ଅନୁସନ୍ଧାନ କରି ଖବର ପରିବେଷଣ କଲେ ତାହା ଗାଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ସହ ଆମ ଗଣତନ୍ତ୍ରକୁ ସଠିକ ଦିଗ ଦେଖାଇପାରିବ । ପ୍ରତ୍ୟେକ ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ଲୋକଙ୍କ ସମସ୍ୟା ସମ୍ବଳିତ ଖବରକୁ ଲୋକଲୋଚନକୁ ଆଣିବା ଜରୁରୀ ।

ନବୀନ କହିଲେ, ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ସହ ଏବେ ବିକାଶର ରାସ୍ତାରେ । ଆମ ରାଜ୍ୟରେ ସାମାଜିକ ସୁରକ୍ଷା ବହୁ ଆଗରେ ଥିଲା ବେଳେ ଏବେ ଆମେ ଅର୍ଥନୀତିରେ ମଧ୍ୟ ବେଶ ଆଗକୁ ଯାଇଛୁ । ନିକଟରେ ଅନୁଷ୍ଠିତ ମେକ ଇନ ଓଡ଼ିଶାରେ ରାଜ୍ୟକୁ ସାଢ଼େ ୧୦ ଲକ୍ଷର ନିବେଶ ପ୍ରସ୍ତାବ ମିଳିଛି । ଏହା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପ୍ରସ୍ତାବିତ ଏ ନିବେଶକୁ ବାସ୍ତବ ରୂପ ଦେବାକୁ ଗଣମାଧ୍ୟର ସହଯୋଗ ଜରୁରୀ । ଆସନ୍ତୁ ଆମେ ହାତରେ ହାତ ମିଳାଇ ଏକ ସଶକ୍ତ,ସୁଖୀ ବିକଶିତ ଓଡ଼ିଶା ଗଠନ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।

ଏ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ଡା.ହରିବଂଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଶିଷ୍ଟ ସାମ୍ବାଦିକ ଓ ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରମେୟ, ନ୍ୟୁଜ୍ ୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲା ବେଳେ ସୁମା ରିଅଲ ମିଡିଆର ନିର୍ଦ୍ଦେଶିକା ଶାସ୍ବତୀ ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଆ ଫିଲ୍ମ ‘ଦମନ’, ‘ପ୍ରତୀକ୍ଷା’ ସହ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।