ସମଲେଇ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନୁମୋଦନ, ପୂଜାରୀଙ୍କୁ ୨୦ ଲକ୍ଷ ଟଙ୍କାର ଭତ୍ତା

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ‘ସମଲେଇ ବିକାଶ’ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ସମଲେଶ୍ୱରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପୀଢି ମନେରଖିବେ। ଏଥିସହିତ ପ୍ରକଳ୍ପକୁ ଆଗେଇ ନେବା ପାଇଁ  ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ବଲପୁରର ପ୍ରସିଦ୍ଧ ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର  ବିକାଶ ପାଇଁ ସମଲେଇ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ଡିଜାଇନ, ପରିବହନ, ନଦୀ ସମ୍ମୁଖ ଭାଗର ଉନ୍ନତିକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ସହିତ ଆକର୍ଷଣୀୟ ଥଇଥାନ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଆସିଥିଲା  ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ଥଇଥାନ ଓ ପୁନର୍ବାସ ପ୍ୟାକେଜ କରାଯାଇଛି। ତେବେ ସଂପୂର୍ଣ୍ଣ ସମଲେଇ ଯୋଜନାକୁ ମେ ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଜାଣନ୍ତୁ, ଥଇଥାନ ଓ ପୁନର୍ବାସ ପ୍ୟାକେଜରେ କେଉଁ ସବୁ ବ୍ୟବସ୍ଥା ରହିଛି…

୧. ବେସରକାରୀ ଜାଗାରେ ଘର-

ବେସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଜମିକୁ ସିଧାସଳଖ କିଣାଯାଇ ଅଧିଗ୍ରହଣ କରାଯିବ ଏବଂ Right to Fair Compensation and transparency of land acquisition, rehabilitation and resettlement Act 2013 ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

ମନ୍ଦିରର ପୂଜାରୀ ମାନଙ୍କୁ ଜମି ବଦଳରେ ଜମି ପ୍ରଦାନର ସୁବିଧା ରହିବ। ଯଦି ପ୍ରଦାନ କରାଯାଉଥିବା ଜମିର ମୂଲ୍ୟ ପୂଜାରୀଙ୍କ ମୂଳ ଜମିର ବଜାର ଦର ଠାରୁ କମ୍‌ ରୁହେ, ତେବେ ମୂଲ୍ୟର ପାର୍ଥକ୍ୟ ଅନୁଯାୟୀ କ୍ଷତିପୂରଣ ଟଙ୍କା ଆକାରରେ ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ପୂଜାରୀ ମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁନର୍ବାସ ଭତ୍ତା କିମ୍ବା ତାଙ୍କ ଘରର ମୂଲ୍ୟ, ଯାହା ଅଧିକ ଥିବ, ତାକୁ ପ୍ରଦାନ କରାଯିବ।

ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରାଯିବ।

ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଟଙ୍କା ଘରଭଡା ଦିଆଯିବ।

୨. ବେସରକାରୀ ଜାଗାରେ ଦୋକାନ ଘର

ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକଙ୍କ ଠାରୁ ଜମିକୁ ସିଧାସଳଖ କିଣାଯିବ।

କ୍ଷତିପୂରଣ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।

ଦୋକାନକୁ ଅନ୍ୟ ଜାଗାରେ ଅବସ୍ଥାପିତ କରିବା ପାଇଁ ୧ ଲକ୍ଷ ଟଙ୍କାର ସହାୟତା  ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭରୁ ଗୋଟିଏ କିସ୍ତି ଏବଂ ସଂପତ୍ତି ଅଧିଗ୍ରହଣ ପରେ ଆଉ ଏକ କିସ୍ତି ପ୍ରଦାନ କରାଯିବ।

୩. ସରକାରୀ ଜାଗାରେ ବସ୍ତିରେ ଥିବା ଅନଧିକୃତ ଘର

ଛୋଟ କଚ୍ଚା ଘର କିମ୍ବା ଆଂଶିକ ପକ୍କା ଘର ଥିବା ପରିବାରକୁ ଏକକାଳୀନ ୫୦ ହଜାର ଟଙ୍କା କିମ୍ବା ଘରର ମୂଲ୍ୟ, ଯାହା ଅଧିକ ଥିବା ତାହା ଦିଆଯିବ। ଲୋକଙ୍କ  ପୁନର୍ବାସ ପାଇଁ ୬୫୦ ବର୍ଗଫୁଟ ଅଞ୍ଚଳର ଜାଗା ଦିଆଯିବ। ବଡ ବଡ ପକ୍କା ଘର ଥିବା ବସ୍ତିର ପରିବାର ଗୁଡିକୁ ଘରର ମୂଲ୍ୟ ଏବଂ ୬୫୦ ବର୍ଗଫୁଟର ଜାଗା ଦିଆଯିବ।

ସମ୍ବଲପୁର ମହାନଗର ନିଗମ ଦ୍ୱାରା ପରିବହନ, ୮ ଦିନ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ।

୪. ବସ୍ତି ବ୍ୟତୀତ ଅନ୍ୟ ଜାଗାରେ ଥିବା ବେସରକାରୀ ଜାଗାରେ ଅନଧିକୃତ ଘର

ପ୍ରତ୍ୟେକ ପରିବାର ପାଇଁ ଘରର ବଜାର ଦର ଅନୁଯାୟୀ କ୍ଷତିପୂରଣ

ପ୍ରତ୍ୟେକ ପରିବାର ପାଇଁ ୨,୫୭,୪୭୫ ଟଙ୍କା ପୁନର୍ବାସ ସହାୟତା

ଅନ୍ୟ ସ୍ଥାନକୁ ଯିବା ପାଇଁ ପରିବାର ପିଛା ଏକକାଳୀନ ୫୦ ହଜାର ଟଙ୍କା ସହାୟତା

୫. ସରକାରୀ ଜାଗାରେ ଥିବା ଅନଧିକୃତ ଦୋକାନ ଘର

ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା

୬. ସରକାରୀ ଜାଗାରେ ଥିବା ଉଠାଦୋକାନୀ

ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ।

ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ୍ ଭେଣ୍ଡିଂ ପ୍ଲାନ୍ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ।

୭. ସରକାରୀ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂସ୍ଥାକୁ ସହାୟତା

ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ଯ୍ୟାଳୟ ଗୁଡିକ ପାଇଁ  ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ

ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ ।

୮. ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ଥଇଥାନ

ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ, ଯାହା ସମ୍ବଲପୁର ମହାନଗର ନିଗମ ଦ୍ୱାରା କାର୍ଯ୍ୟକାରୀ ହେବ।  ଏଥିରେ vocational training, ଆର୍ଥିକ ସହାୟତା, ସ୍ୱାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ MBPY ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ ।

୯. ସରକାରୀ ଜମିରେ ଥିବା ଧାର୍ମିକ ଅନୁଷ୍ଠାନ ଓ କ୍ଲବ

ଏହିସବୁ ସଂସ୍ଥାଗୁଡିକୁ ଏକକାଳୀନ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

ତେବେ ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner