କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ହେବ ନିରବ ପ୍ରାର୍ଥନା: ସାମିଲ ହେବାକୁ ଓଡ଼ିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧୀ ଲଢ଼େଇରେ କରୋନା ଯୋଦ୍ଧାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ ବେଳେ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନର ବଳିଦାନ ଦେଇଛନ୍ତି । କୋଭିଡ ଯୋଦ୍ଧାମାନଙ୍କର ମାନବ ଜାତି ପାଇଁ ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ବୁଧବାର ସନ୍ଧ୍ୟା ୬ଟାରେ ହେବ ନିରବ ପ୍ରାର୍ଥନା  ।  ଏଥିସହିତ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିରବ ପ୍ରାର୍ଥନାର ନେତୃତ୍ୱ ନେବେ ବୋଲି କହିଛନ୍ତି ।

ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେବାକୁ ଥିବା ନିରବ ପ୍ରାର୍ଥନାରେ ସାମିଲ ହେବାକୁ ସାଢ଼େ ୪ କୋଟି ଓଡ଼ିଶା ବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ସମସ୍ତେ ଏକ ଶପଥ ନେବେ । ଯେଉଁଥିରେ କୋଭିଡ ଯୁଦ୍ଧରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡ଼ାକଡ଼ି ପାଳନ ପାଇଁ ଶପଥ ନିଆଯିବ । ଯାହା ସମସ୍ତଙ୍କୁ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେବ ।

            ଆମର କୋଭିଡ ଯୋଦ୍ଧା ମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ କୋଭିଡ ଯୁଦ୍ଧରେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଏହା ହେବ ଶ୍ରେଷ୍ଠ ମାର୍ଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆସନ୍ତାକାଲିର ଏହି କାର୍ଯ୍ୟକ୍ରମରେ ଲୋକେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା କରିପାରିବେ । ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମୁଖ୍ୟମନ୍ତ୍ରୀ ନିଜେ ଲୋକମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି ।

Leave a Reply