ବଳକା ଉଷୁନା ଚାଉଳ ଉଠାଉ FCI, ନଚେତ୍ ଚାଷୀ ହଇରାଣ ହେବେ: ନବୀନ

ଭୁବନେଶ୍ୱର: ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ବଳକା ୨୦ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୩୧ରେ ସରୁଥିବା ଚଳିତ ଖରିଫ ସିଜିନରେ ୨୨ତାରିଖ ସୁଦ୍ଧା ୪୪ଲକ୍ଷ ୨୩ ହଜାର ମେଟ୍ରିକ ଟନ ଚାଉଳ ସଂଗ୍ରହ ହୋଇଛି । ଏଥିପାଇଁ ୧୩ ହଜାର ୮୧ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦେଇଛନ୍ତି ରାଜ୍ୟ ସରକାର । ଆଉ ୮ ଦିନ ମଧ୍ୟରେ ୧୦ଲକ୍ଷ ମେଟ୍ରିକ ଟନର ଚାଉଳ ସଂଗ୍ରହ ହେବାର ଆକଳନ କରାଯାଉଛି ।

ଚାଷୀଙ୍କଠାରୁ ସଂଗୃହିତ ମୋଟ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟ କଲ୍ୟାଣକାରୀ ଯୋଜନା ଜରିଆରେ ୨୪ଲକ୍ଷ ମେଟ୍ରିକ ଟନ ଚାଉଳ ବ୍ୟବହୃତ ହେବ । ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଓଡ଼ିଶାରେ ବଳକା ରହିବ । ହେଲେ କେନ୍ଦ୍ର ସରକାର ୧୦ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବାକୁ ଟାର୍ଗେଟ ଦେଇଥିବାରୁ ଏହା ଓଡ଼ିଶା ପାଇଁ ସମସ୍ୟା ଆଣିବ । ବଳକା ୨୦ଲକ୍ଷ ମେଟ୍ରିକ ଟନ ଚାଉଳ ଭାରତୀୟ ଖାଦ୍ୟ ନିଗମ ବା ଏଫସିଆଇ ଓଡ଼ିଶାରୁ ନଉଠାଇଲେ ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ସମସ୍ୟା ଉପୁଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିଲେ ଉଲ୍ଲେଖ କରିଛନ୍ତି ।

ବଳକା ଚାଉଳ ନଉଠିଲେ ଆଗାମୀ ସିଜିନରେ ଧାନକିଣା ବି ବାଧାପ୍ରାପ୍ତ ହେବ । ରାଜ୍ୟର ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ୨୦ଲକ୍ଷ ମେଟ୍ରିକ ଟନ ଚାଉଳ ତୁରନ୍ତ ଉଠାଇବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଳକା ୨୦ଲକ୍ଷ ମେଟ୍ରିକ ଟନ ଚାଉଳ ମଧ୍ୟରୁ ୧୭ଲକ୍ଷ ଉଷୁନା ଓ ୩ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଉଠାଇବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।