ଘରକୁ ଯାଇ ମାଆ ହାତରୁ ପଖାଳ ଖାଇଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପଖାଳ ଖାଇଲେ ନୂଆ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଘରେ ମାଆଙ୍କ ହାତରୁ ସେ ଆଜି ପଖାଳ ଖାଇଛନ୍ତି । ପଖାଳ ସହିତ ତାଙ୍କ ପ୍ରସ୍ତୁତ ହୋଇଥିଲା ବାଇଗଣ ପୋଡ଼ା, ଶାଗ, କଲରା ଭଜା ଏବଂ ଆଳୁ କୁନ୍ଦୁରି ଭଜା । ଆଜି ନିଜ ଜନ୍ମମାଟି କେନ୍ଦୁଝର ଜିଲ୍ଲା ରାଇକଳା ଗସ୍ତରେ ଯାଇଥିଲେ ମୁଖ୍ଯମନ୍ତ୍ରୀ । ଗାଁର ପୁଅ ମୁଖ୍ଯମନ୍ତ୍ରୀ ହୋଇଥିବାରୁ ଓ ସେମାନଙ୍କୁ ଭେଟିବାକୁ ଆସିଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଥିଲା ନାହିଁ ନ ଥିବା ଉତ୍ସାହ ଓ ଖୁସି ।

ହେଲିପ୍ଯାଡରୁ ବିରାଟ ଶୋଭାଯାତ୍ରାରେ ଯିବା ବାଟରେ ପାଦ ଧୋଇ ଫୁଲ ତୋଡ଼ା ଦେଇ ସମସ୍ତେ ସ୍ବାଗତ କରିଥିଲେ । ଶୋଭାଯାତ୍ରା ଝୁମ୍ପୁରା ବଜାର ଦେଇ ଦୁର୍ଗାପଡ଼ିଆରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଜନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ ମୁଖ୍ଯମନ୍ତ୍ରୀ । ଝିପି ଝିପି ବର୍ଷା ସତ୍ତ୍ବେ ଗାଁର ପୁଅକୁ ଦେଖିବାକୁ ଲୋକଙ୍କ ମଧ୍ଯରେ ଥିଲା ଉତ୍ସାହ । ହଜାର ହଜାର ଲୋକ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଲୋକଙ୍କ ଦୁଃଖସୁଖ ଶୁଣିବା ପରେ ସେ ହେଲିକପ୍ଟରରେ ଭୁବନେଶ୍ବର ଫେରି ଆସିଛନ୍ତି ।