ୟୁନିଫର୍ମ ସେବାରେ ଓଡ଼ିଶାର ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ଭୁବନେଶ୍ବର: ଓଡ଼ିଶାରେ ଅଗ୍ନିବୀରଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଥିବା ସମସ୍ତ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବେ ରାଜ୍ୟ ସରକାର ।

ଅଗ୍ନିବୀରଙ୍କୁ ରାଜ୍ୟ ସରକାର ଓଡିଶାର ୟୁନିଫର୍ମ ସେବାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡିଶାର ଯେଉଁ ଅଗ୍ନିବୀରମାନେ ସେନାବାହିନୀରେ ଭର୍ତ୍ତି ହୋଇ ନଥିବେ ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ନିଯୁକ୍ତି ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯିବ । ଏହାସହ ନିଯୁକ୍ତି ଲାଗି ଥିବା ବୟସ ସୀମା ସେମାନଙ୍କ ପାଇଁ ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ ।

ମୁଖ୍ୟମନ୍ତ୍ରୀ ଆଗକୁ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକ ଆମର ଗର୍ବ ଓ ଗୌରବ । ଅଗ୍ନିବୀରମାନେ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । ଏହି ଯୋଜନା ଦେଶର ଯୁବ ସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି । ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବ ସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ । ଆସନ୍ତାକାଲି ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ଯମନନ୍ତ୍ରୀ । କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏହି ବୈଠକ ବସିବାକୁ ଯାଉଛି । ଏଥିରେ ବିଭିନ୍ନ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ ଉପମୁଖ୍ଯମନ୍ତ୍ରୀମାନେ ଯୋଗଦେବେ । ରାଜ୍ଯର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ ବୋଲି ଆଜି ଦିଲ୍ଲୀ ଗସ୍ତ ପୂର୍ବରୁ ସୂଚନା ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ।