ଆଜିଠୁ ଲୋକସେବା ଭବନର ତୃତୀୟ ମହଲାରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର:  ଲୋକସେବା ଭବନର ତୃତୀୟ ମହଲାରେ ପ୍ରବେଶ କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ଯମନ୍ତ୍ରୀଙ୍କୁ କ୍ଯାବିନେଟ ମନ୍ତ୍ରୀମାନେ ପାଛୋଟି ନେଇଥିଲେ । ମୁଖ୍ଯ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ମୁଖ୍ଯମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ।

ଲୋକସେବା ଭବନରେ ପ୍ରବେଶ କରିବା ପରେ ମୁଖ୍ଯମନ୍ତ୍ରୀ କହିଛନ୍ତି, ଲୋକସେବା ଭବନରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି । ରାଜ୍ଯର ଭୌତିକ ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ବ ଦିଆଯିବ। ସାହିତ୍ଯ, କଳା, ସଂଗୀତ ଓ ଲଳିତକଳା ଏକାଡେମୀର ପୁନଃଗଠନ କରାଯିବ। ଓଡ଼ିଆ ଅସ୍ମିତାର ସଂରକ୍ଷଣ ଓ ପ୍ରସାରକୁ ଗୁରୁତ୍ବ ଦିଆଯିବ। ଅନୁବାଦ ଏକାଡେମୀ ଓ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ କରାଯିବ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଏକ କମିଶନ ଗଠନ କରାଯିବ । ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ଯାପକ ବ୍ଯବହାର କରାଯିବ । ଆବଶ୍ଯକ ପଡ଼ିଲେ ଓଡ଼ିଆ ଭାଷା ଆଇନରେ ସଂଶୋଧନ କରାଯିବ ।