ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ଧନ୍ଦାମୂଳକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲୋକାର୍ପିତ

1 min read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ୟୁନିଟ -୩ ସ୍ଥିତ ଭୀମ ଭୋଇ ଦୃଷ୍ଟିହୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପେ ଲୋକାର୍ପିତ କରିଛନ୍ତି  । ଏହାଦ୍ଵାରା ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଦୃଷ୍ଟିବାଧିତ ଓ ଶ୍ରୁତିବାଧିତ ପିଲାମାନେ ଆସି ଛାତ୍ରାବାସରେ ରହି ଯୁକ୍ତ-୨ ପଢ଼ିବାର ସୁଯୋଗ ପାଇ ପାରିବେ । ପୂର୍ବରୁ ଏହିପିଲାମାନେ ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିଲେ ଓ ସେଠାରେ ସେମାନଙ୍କ ପାଇଁ ବିଶେଷ ସୁବିଧା ଉପଲବ୍ଧ ନଥିଲା ।

ଏହି ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଧନ୍ଦାମୂଳକ ଶିକ୍ଷାରେ ଆଇଟି ଓ ଆଇଟି ସମ୍ବଳିତ ସେବା ବଷୟରେ ଶିକ୍ଷାଦାନର ସୁବିଧା କରାଯାଇଛି । ଭୀମ ଭୋଇ ଦୃଷ୍ଟିବାଧିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ବିଷୟ ସହିତ ଆଇଟି ଖୋଲାଯାଇଥିବା ବେଳେ ବିପିନ ବିହାରୀ ଚୌଧୁରୀ ଶ୍ରୁତିବାଧିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଜ୍ଞାନ ବିଷୟ ସହିତ ଆଇଟି ଶିକ୍ଷାର ସୁଯୋଗ ସୃଷ୍ଟି କରାଯାଇଛି । ଏହି ଅବସରରେ ଦୃଷ୍ଟିବାଧିତ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଡ଼ିଓ ଷ୍ଟୁଡିଓ ଓ ଶ୍ରୁତିବାଧିତ ପିଲାଙ୍କ ନିମନ୍ତେ ଭରଚୁଆଲ ଷ୍ଟୁଡିଓ କୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ଏଥିସହିତ ଦୁଇ ବିଦ୍ୟାଳୟର ସମସ୍ତ ପିଲାଙ୍କୁ ନୂଆ ସ୍କୁଲ ବ୍ୟାଗ , ଦୃଷ୍ଟିହୀନ ପିଲାଙ୍କ ପାଇଁ ବ୍ରେଲିସ୍ଲେଟ , ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମୁଖ୍ୟମନ୍ତ୍ରୀ ବଣ୍ଟନ କରିଥିଲେ । ଉଭୟ ଛାତ୍ରାବାସର ଅନ୍ତେବାସୀଙ୍କ ବ୍ୟବହାର ନିମିତ୍ତ ନୂଆ ବିଛଣା , ଖାଇବା ବାସନ ଆଦି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରଯାଇଛି ଓ ଏଥି ସହିତ ଥଣ୍ଡା ପାନୀୟ ଜଳ ସୁବିଧା ପାଇଁ ଫ୍ରିଜ ଓ ଶିକ୍ଷଣ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ପାଇଁ ଉଭୟ ଛାତ୍ରାବାସକୁ ଟିଭି ପ୍ରଦାନ କରାଯାଇଛି । ଏହି ଦୁଇ ବିଦ୍ୟାଳୟର ଶିକ୍ଷକ -ଛାତ୍ର ଅନୁପାତ ପ୍ରତି ଦଶ ଜଣ ଛାତ୍ର ପାଇଁ ଜଣେ ଶିକ୍ଷକ ଥିବାବେଳେ ଭୀମ ଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରୁ ଚଳିତ ବର୍ଷ 10 ଜଣ ଓ ବିପିନ ବିହାରୀ ଚୌଧୁରୀ ଶ୍ରୁତି ବାଧିତ ବିଦ୍ୟାଳୟରୁ 14 ଜଣ ଛାତ୍ର ଛାତ୍ରୀ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହୋଇଛନ୍ତି ।

ଏଠାରେ ପିଲାମାନଙ୍କର ନିଃଶୁଳ୍କ ନାମ ଲେଖାର ବ୍ୟବସ୍ଥା କରାଯାଇଛି । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଦୁଇ ବିଦ୍ୟାଳୟରେ ଉପଯୋଗୀ ସ୍ମାର୍ଟ ଶ୍ରେଣୀ ଗୃହ , ଇ -ପାଠାଗାର , ବିଜ୍ଞାନାଗାର , ବିଭିନ୍ନ ଖେଳ ସୁବିଧା ଆଦି କରାଯାଇଛି । ଆଜି ଦୁଇ ବିଦ୍ୟାଳୟରେ ସରକାର ଉଚ୍ଚ ମାଧ୍ୟମିକ ଖୋଲିବାର ଆଦେଶନାମା ଛାତ୍ର, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ସ୍ରୁଷ୍ଟି କରିଛି l ପ୍ରାରମ୍ଭରେ ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପିଲାମାନେ ବାଦ୍ୟ ଓ ସଂଗୀତ ପରିବେଷଣ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ  । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ରହି ଉଭୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ 5T ସଚିବ ଭି କେ ପାଣ୍ଡିଆନ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଅଶ୍ୱଥି ଏସ , ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାର , ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଜିଲ୍ଲାପାଳ ଖୋର୍ଦ୍ଧା କେ ସୁଦର୍ଶନ ଚକ୍ରବର୍ତ୍ତୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପରେ ମୁଖ୍ୟମନ୍ତ୍ରୀ ରାଜ୍ଯ ପଣ୍ୟାଗାର ନିଗମର କର୍ପୋରେଟ ବିଲଡ଼ିଂ ର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ଜେନା, ରାଜ୍ଯ ପଣ୍ୟାଗାର ନିଗମ ର ଅଧ୍ୟକ୍ଷ ପ୍ରମୂଖ ଉପସ୍ଥିତ ଥିଲେ ।