କର୍ଣ୍ଣାଟକ ବିଜେପିରେ ବଢ଼ୁଛି ଅସନ୍ତୋଷ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୟେଦୁରପ୍ପା

ନୂଆଦିଲ୍ଲୀ:  ଇସ୍ତଫା ଚର୍ଚ୍ଚା ମଧ୍ୟରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ତେବେ ଇସ୍ତଫା ଚର୍ଚ୍ଚାକୁ ୟେଦୁରପ୍ପା ଖଣ୍ଡନ କରିଥିବା ବେଳେ କର୍ଣ୍ଣାଟକ ବିକାଶ ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । କିନ୍ତୁ ଜାତୀୟ ଗଣମାଧ୍ୟମ ଏହି ଆଲୋଚନାକୁ ନେଇ ଭିନ୍ନ ଆକଳନ କରିଛି ।

ଶୁକ୍ରବାର ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ ୟେଦୁରପ୍ପା । ପରେ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିବା ବେଳେ  ରାଜନାଥ ସିଂହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ହୋଇଥିବା ଆଲୋଚନାରେ ୟେଦୁରପ୍ପା ଇସ୍ତଫା ଦେବାକୁ ରାଜି ଥିବା ଜଣାପଡ଼ିଛି । କିନ୍ତ ଏହା ବଦଳରେ ସେ କିଛି ସର୍ତ୍ତ ରଖିଛନ୍ତି । କେନ୍ଦ୍ରୀୟ ସ୍ତରରେ ଏକ ସମ୍ନାନଜନକ ପଦ ଆଶା କରିଛନ୍ତି ୟେଦୁ ।

ସୂଚନା ଯୋଗ୍ୟ ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କ ବିରୋଧରେ ଦଳୀୟ ଅସନ୍ତୋଷ ଉଗ୍ର ହେବାରେ ଲାଗିଛି । ୟେଦୁରପ୍ପାଙ୍କୁ ପଦରୁ ହଟାଇବାକୁ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିଆସୁଛନ୍ତି । ଏଭଳି ସମୟରେ ଗତକାଲି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ୟେଦୁରପ୍ପା । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ୟେଦ୍ୟୁରପ୍ପା ଭେଟିବାର ସମ୍ଭାବନା ରହିଛି । କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଦୀର୍ଘ ମାସ ହେଲା ଚର୍ଚ୍ଚା ହେଉଛି । ୟେଦ୍ୟୁରପ୍ପାଙ୍କ ବଦଳରେ ତାଙ୍କ ପୁଅ ସରକାର ଚଳାଉଥିବା ବାରମ୍ବାର ଅଭିଯୋଗ ହୋଇଛି । ଏଭଳି ସମୟରେ ଦଳର ଶୀର୍ଷ ନେତ୍ୱତ୍ୱଙ୍କ ସହିତ ଭେଟଘାଟ ରାଜ୍ୟରେ ସତ୍ତା ପରିବର୍ତ୍ତନର ସୂଚନା ଦେଉଛି । ୟେଦ୍ୟୁରପ୍ପାଙ୍କୁ ନେଇ ବିଜେପି ମଧ୍ୟ ରିସ୍କ ନେବାକୁ ଚାହୁଁନାହିଁ । ତେଣୁ ଖୁବଶୀଘ୍ର କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପରିବର୍ତ୍ତନର ଆଭାସ ମିଳୁଛି । ମାତ୍ର ଚର୍ଚ୍ଚାକୁ ୟେଦ୍ୟୁରପ୍ପା ଖଣ୍ଡନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହାକାଶକୁ ଉଡ଼ିବେ ମହାରାଷ୍ଟ୍ରର ଝିଅ, ସ୍ପେସ୍‌କୁ ଯିବାକୁଥିବା ରକେଟ୍‌ରେ ହେବେ ଇଞ୍ଜିନିୟର

Leave a Reply