ବାଲେଶ୍ୱର ମେଡିକାଲର ANM ସମୁନିଙ୍କ କାର୍ଯ୍ୟକୁ ପ୍ରଶଂସା, କେନ୍ଦ୍ର ସରକାରଙ୍କ ତରଫରୁ ପୁରସ୍କାର ପାଇଁ ମନୋନୀତ

ବାଲେଶ୍ୱର: ବାଲେଶ୍ୱର ମେଡିକାଲରେ ନିୟୋଜିତ ଏଏନଏମଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏଏନଏମ୍‌ ସମୁନି ନାୟକଙ୍କ କାମକୁ ଉତ୍ସାହିତ କରିବା ସହିତ ତାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ପୁରସ୍କୃତ କରିବାକୁ ମନୋନୀତ କରାଯାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ସମୁନି ନାୟକ ଗତ ୨୦୨୧ ଜାନୁଆରୀ ୧୬ ତାରିଖରେ କୋଭିଡ ଟିକା ଦେବାକୁ ନିଯୁକ୍ତି ପାଇଥିଲେ । ସେହିଦିନଠାରୁ ନିୟମିତ ଭାବେ ଟିକାକରଣ କରିବା ସହିତ କୋଭିଡ ମ୍ୟାନେଜମେଣ୍ଟ ଖୁବ୍‌ ଭଲ ଭାବେ କରିପାରୁଥିଲେ। ନିଯୁକ୍ତି ପାଇବା ଦିନଠାରୁ ସମୁନି ମୋଟ ୨ ଲକ୍ଷ ୪୩ ହଜାର ୫୦ ଡୋଜ୍‌ ଟିକାକରଣ କରିପାରିଛନ୍ତି ।

୨୦୨୧ରେ ମଧ୍ୟ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁରସ୍କୃତ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଓଡ଼ିଶାରୁ ବେଷ୍ଟ ଓମେନ୍‌ ଭେକ୍ସିନେଟର ଭାବେ ସମୁନିଙ୍କୁ ପୁରସ୍କୃତ କରିବାକୁ ମନୋନିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌ ତାଙ୍କୁ ସେବା କରିବାକୁ ଅଧିକ ଉତ୍ସାହିତ କରିଥିବା ସମୁନି କହିଛନ୍ତି । ସେହିପରି ସମୁନି ବାଲେଶ୍ବରର ଗର୍ବ ବୋଲି ସିଡିଏମଓ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।