ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କ୍ଷତିଗ୍ରସ୍ତ ଅଞ୍ଚଳରେ ଦିଆଯିବ ୧୫ ଦିନ ମାଗଣା ରିଲିଫ୍

1 min read

ଭୁବନେଶ୍ୱର: ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପନ୍ଦର ଦିନ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ନବୀନ ଏହି ଘୋଷଣା କରିଛନ୍ତି । ସେହିପରି ପାଣି ଛାଡିବାର ସାତ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ, ପନ୍ଦର ଦିନ ମଧ୍ୟରେ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯେପରିକି ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟ ସେବା, ପାନୀୟଜଳ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରଭାବିତ ଅଞ୍ଚଳରେ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପ୍ରାଣୀ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି, କଣାସର ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେଵା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ।

ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜ଼ିଲ୍ଲାର ଯେଉଁ ଗାଁମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନଙ୍କୁ 15ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜ଼ିଲ୍ଲାର ପାଣି ପଶିଥିବା ଗାଁର ଲୋକମାନଙ୍କୁ ସାତ ଦିନ ପାଇଁ ରିଲିଫ ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ସହିତ 5T ସଚିବ ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।