ବଦଳିବ ନିଶାଦ୍ରବ୍ୟରେ ସଚେତନତା ବାର୍ତ୍ତା, ଲେଖାଯିବ- ‘ଯେତେ ପୁଳା ସେତେ ବିଷ’

କାନାଡ଼ା: ‘ଧୂମ୍ରପାନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ’ ଏମିତି ସଚେତନତା ବାର୍ତ୍ତା ପ୍ରତିଟି ତମାଖୁ ଓ ସିଗାରେଟ ପ୍ୟାକେଟରେ ଉଲ୍ଲେଖ ହୋଇଥାଏ, ହେଲେ ଲୋକେ ଏଥିପ୍ରତି କେତେ ସଚେତନ?  ଏହା ଛଡା ଟିଭି, ସିନେମା ତଥା ସୋସିଆଲ ମିଡିଆଲରେ ମଧ୍ୟ ସିଗାରେଟ ସେବନ ନକରିବା ପାଇଁ ସଚେତନ କରାଯାଇଥାଏ । ଏବେ ସିଗାରେଟ ଉପରେ ‘ଯେତେ ପୁଳା ସେତେ ବିଷ’ ଏପରି ଲାଇନ ଲେଖାଯିବ । ଏପରି ଓ୍ବାର୍ଣ୍ଣିଂ ପଲିସି ଆଣିବା ସହ ପୁରୁଣା ନିୟମ ବଦଳାଇବାକୁ ଯାଉଛି କାନାଡ଼ା ।

କାନାଡ଼ା ପ୍ରଥମ ଦେଶ ଯେ ଲୋକମାନଙ୍କୁ ସଚେତନ କରିବା ପାଇଁ ତମାଖୁ , ସିଗାରେଟ ତଥା ଅନ୍ୟ ନିଶାଦ୍ରବ୍ୟ ଉପରେ ଗ୍ରାଫିକ୍ସ ଓ୍ବାର୍ଣ୍ଣିଂ ବା ଚିତ୍ର ସଚେତନତା ଦେବା ଆରମ୍ଭ କରିଥିଲା । କାନାଡ଼ାରେ ହିଁ ଦୁଇ ଦଶନ୍ଧି ପୂର୍ବରୁ ତମାଖୁ ଉତ୍ପାଦକ ପ୍ୟାକେଟ ଉପରେ ଚେତାବନୀ ସ୍ବରୂପ ଗ୍ରାଫିକ୍ସ ଓ୍ବାର୍ଣ୍ଣିଂ ନୀତି ଲାଗୁ କରିଥିଲା , ଯାହାକୁ ପରେ ସାରା ବିଶ୍ବ ଗ୍ରହଣ କରିଥିଲା ।

ଶୁକ୍ରବାର କାନାଡ଼ା ସ୍ବାସ୍ଥ୍ୟମନ୍ତ୍ରୀ କରୋଲିନ ବେନେଟ୍ କହିଛନ୍ତି ଯେ, ପୂର୍ବର ସଚେତନତା ବାର୍ତ୍ତା ପ୍ରଭାବହୀନ ହୋଇଯାଇଛି ।ଲୋକଙ୍କୁ ତମାଖୁ ଓ ସିଗାରେଟର ଭୟାବହତା ପ୍ରତି ସଚେତନ କରିବାକୁ କିଛି ନୂଆ କରିବାକୁ ପଡିବ । ଏପରି କଲେ ଯେଉଁ ବ୍ୟକ୍ତି ଥରକରେ ଗୋଟିଏ ସିଗାରେଟ ଏକାଥରେ ଟାଣୁଛନ୍ତି ସେମାନେ ନିଶ୍ଚିତ ସଚେତନ ହେବେ ଏବଂ ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରିବେ ।

୨୦୨୩ର ଦ୍ବିତୀୟର୍ଦ୍ଧରୁ ଏପରି ପରିବର୍ତ୍ତନ ନୀତି ଲାଗୁ କରାଯିବ। ସିଗାରେଟ୍ ଉପରେ କ’ଣ ସଚେତନ ବାର୍ତ୍ତା ଉଲ୍ଲେଖ ରହିବ ତାହା ଏବେ ବି ବିଚାର କରାଯାଉଛି । କିନ୍ତୁ କାନାଡ଼ା ସରକାର ସଚେତନତା ବାର୍ତ୍ତାରେ ‘ଯେତେ ପୁଳା ସେତେ ବିଷ’ ଏ ଲାଇନଟି ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।