ଅନ୍ତର୍ଜାତୀୟ ସ୍ତରରେ ଉପୁଜିଲା କୋଭିଡ ଉତ୍ପତ୍ତିସ୍ଥଳ ବିବାଦ : ଉହ୍ବାନ ଇନଷ୍ଟିଚ୍ୟୁଟରୁ ଭୂତାଣୁର ଉତ୍ପତ୍ତି ନେଇ ଚର୍ଚ୍ଚା
1 min readନନ୍ଦିଘୋଷ ବ୍ୟୁରୋ: ପୁଣି ଅନ୍ତର୍ଜାତୀୟ ସ୍ତରରେ ଉପୁଜିଲା କୋଭିଡ ଉତ୍ପତ୍ତିସ୍ଥଳ ବିବାଦ। ଚୀନର ଏକ ଲ୍ୟାବରୁ ସମ୍ଭବତଃ ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ହୋଇଥାଇପାରେ ବୋଲି କହିଛି ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ । ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପ ଦାୟିତ୍ବ ନେବା ପରେ ନୂଆ ସିଆଇଏ ନିର୍ଦ୍ଦେଶକ ହୋଇଛନ୍ତି ଜନ ରାଟକ୍ଲିଫ। ସେ ଦାୟିତ୍ବ ନେବା ପରେ କୋଭିଡର ଉତ୍ପତ୍ତିସ୍ଥଳ ନେଇ ଏହି ତଥ୍ୟ ଦେଇଛି ସିଆଇଏ । ୨୦୨୦ରୁ ୨୦୨୧ ଯାଏ ରାଟକ୍ଲିଫ ଜାତୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଥିଲେ । ଦାୟିତ୍ବ ନେଉ ନେଉ ରାଟକ୍ଲିଫ କହିଥିଲେ- ସେ କୋଭିଡର ଉତ୍ପତ୍ତି ସମ୍ପର୍କରେ ଏକ ନିର୍ଣ୍ଣୟ ନେବେ । ଚୀନର ଉହ୍ବାନ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜିରୁ କୋଭିଡ -୧୯ ଭୂତାଣୁ ଉତ୍ପନ୍ନ ହୋଇଥିବା ବିବାଦରେ ଏବେ ବି ପୂର୍ଣ୍ଣଚ୍ଛେଦ ପଡିନାହିଁ ।
ଏନେଇ ସିଆଇଏ ମୁଖପାତ୍ର କହିଥିଲେ- କୋଭିଡର ପ୍ରାକୃତିକ ଉତ୍ପନ୍ନ ହୋଇ ନଥିଲା ବରଂ ଗବେଷଣାଭିତ୍ତିକ ଉତ୍ପତ୍ତି ହୋଇଥିବାର ଆଶଙ୍କା ବେଶୀ ରହିଛି । ପୂର୍ବରୁ କୋଭିଡର ଉତ୍ପନ୍ନ ନେଇ ସିଆଇଏ ସେପରି କୌଣସି ମତ ଉପସ୍ଥାପନ କରି ନଥିଲା । ତେବେ ସିଆଇଏର ନୂଆ ନିର୍ଦ୍ଦେଶକ ଆସିବା ପରେ ଏହି ବିବାଦ ମୁଣ୍ଡ ଟେକିଛି । କୋଭିଡରେ ସାରା ବିଶ୍ବରେ ୭୦ ଲକ୍ଷ ୧୦ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନି ହୋଇଥିଲା । କେବଳ ଭାରତରେ ୫ ଲକ୍ଷ ୩୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ସତ୍ତ୍ବେ ଏହି ସଂଖ୍ୟା ବହୁ ଅଧିକ ବୋଲି ଜଣାଯାଇଛି ।