ଧରାବତରଣ କଲେ ପ୍ରଭୁ ଯୀଶୁ, ସବୁଠି ଉତ୍ସବର ମାହୋଲ

ଭୁବନେଶ୍ବର: ରାଜ୍ୟର ସବୁ ଗୀର୍ଜାଘରେ ଦେଖିବାକୁ ମିଳିଛି ଖଚାଖଚ ଭିଡ଼ । ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେବା ସହ ମିଠା, ଚକୋଲେଟ୍, କେକ ଖାଇ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ସେଲିବ୍ରେସନ କରୁଛନ୍ତି ଲୋକେ । କ୍ୟାଣ୍ଡେଲ ଜାଳି ଯୀଶୁଙ୍କ ସ୍ବାଗତ କରିବା ସହ ଚାଲିଛି ସାମୁହିକ ପ୍ରାର୍ଥନା । ବଡ଼ଦିନର ଏହି ପବିତ୍ର ମାହୋଲରେ ସାଣ୍ଟା କ୍ଲସ ପାରମ୍ପରିକ ବେଶରେ ହସ ହସି ପିଲାଙ୍କୁ ଦେଉଛନ୍ତି ଉପହାର ।

ରାତ୍ରୀର ଅନ୍ଧକାରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ତେଣୁ ଖ୍ରୀଷ୍ଟମାସକୁ କେକ୍, ଚକୋଲେଟ୍, ମିଠା ବାଣ୍ଟି ସେଲିବ୍ରେସନ କରୁଛନ୍ତି ଖ୍ରୀଷ୍ଟିଆନ ଭାଇଭଉଣୀ । ବଡ଼ଦିନ ପାଇଁ କଟକ ସହରରେ ସକାଳୁ ସକାଳୁ ରୋମାନ କ୍ୟାଥଲିକ ଚର୍ଚ୍ଚ, ଓଡିଆ ବାପଟିଷ୍ଟ ଚର୍ଚ୍ଚ ଓ ବିଭିନ୍ନ ସାହିର ଚର୍ଚ୍ଚଗୁଡିକରେ ଭିଡ଼ ଦେଖିବାକୁ ମିଳିଛି । ସାମୁହିକ ପ୍ରାର୍ଥନା ପରେ ପବିତ୍ର ଗୁହାଳକୁ ଯାଇ ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେଇଥିଲେ ସଭିଏଁ । କ୍ୟାଣ୍ଡଲେ ଜାଳି ମଦର ମେରୀଙ୍କୁ ପ୍ରାର୍ଥନ କରିବା ସହ ପରସ୍ପରକୁ ଜଣାଇଥିଲେ ଖ୍ରୀଷ୍ଟମାସ ଶୁଭେଚ୍ଛା ।

ସେହିପରି ଭୁବନେଶ୍ୱର ୩ ନମ୍ବର ସତ୍ୟନଗର ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଯୀଶୁଙ୍କ ଆଗମନ ପାଇଁ ଚର୍ଚ୍ଚକୁ ଅତି ସୁନ୍ଦର ଭାବେ ସଜା ଯାଇଛି । ଖ୍ରୀଷ୍ଟମାସ ଟ୍ରୀ, ଷ୍ଟାର, କ୍ୟାଣ୍ଡେଲ ଓ ଲାଇଟରେ ସଜା ଯାଇଛି ଚର୍ଚ୍ଚ । ଶ୍ରଦ୍ଧାଳୁମାନେ କ୍ୟାରୋଲ ଗାଇ ଶିଶୁ ଯୀଶୁଙ୍କ ଆଶୀର୍ବାଦ ନେଇଛନ୍ତି । ପିଲାଙ୍କ ପାଇଁ ସବୁଠାରୁ ଆକର୍ଷଣ ଓ ଉତ୍ସାହ ସାଜିଛନ୍ତି ସାଣ୍ଟା ।

ଫୁଲବାଣୀ କ୍ୟାଥଲିକ ଚର୍ଚ୍ଚରେ ଶ୍ରଦ୍ଧାଳୁମାନେ ଉଜାଗର ରହି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିବା ସହ ନାଚ ଗୀତର କରି ବଡ଼ଦିନକୁ ସେଲିବ୍ରେଟ କରିଛନ୍ତି । ସୁନ୍ଦର ଆଲୋକମାଳାରେ ସଜେଇ ହୋଇଛି ଗୀର୍ଜାଘର । କୌଣସି ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଇକିଆ, ଦାରିଙ୍ଗବାଡ଼ି, ଜି. ଉଦୟଗିରି ,ଫିରିଙ୍ଗିଆ ଓ ଫୁଲବାଣୀରେ ପୋଲିସ ଏବଂ ରିଜର୍ଭ ଫୋର୍ସ ଫ୍ଲାଗମାର୍ଚ୍ଚ କରିଛନ୍ତି । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ସହ ଯାଞ୍ଚ କଡାକଡି କରାଯାଇଛି ।