ତାଇଓ୍ବାନ ଷ୍ଟ୍ରେଟରେ ଆମେରିକା-ଚୀନ ମୁହାଁମୁହିଁ

1 min read

ତାଇଓ୍ବାନ ଷ୍ଟ୍ରେଟରେ ଆମେରିକା-ଚୀନ ମୁହାଁମୁହିଁ । ଷ୍ଟ୍ରେଟରେ ମୁତୟନ ଥିବା ଆମେରିକାର ଏକ ଡେଷ୍ଟ୍ରୟରର ଅତି ନିକଟ ଦେଇ ଗତି କରିଛି ଚୀନର ଯୁଦ୍ଧଜାହାଜ । ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ କଥା କଟାକଟି ହୋଇଛି । ଏନେଇ ଚୀନ ଉପରେ ଆମେରିକା ଦୋଷାରୋପ କରିଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ଜାଣିଶୁଣି ଆମେରିକା ବିବାଦ ବଢାଉଛି ବୋଲି ଚୀନ ଅଭିଯୋଗ କରିଛି ।

ଆମେରିକା ଓ କାନାଡା ପକ୍ଷରୁ ତାଇଓ୍ବାନ ଷ୍ଟ୍ରେଟରେ ମିଳିତ ସମରାଭ୍ୟାସ କରାଯାଉଥିଲା ବେଳେ ଏହାକୁ ବିରୋଧ କରି ସେଠାରେ ଚୀନ ବି ନିଜର ଯୁଦ୍ଧଜାହାଜ ମୁତୟନ କରିଥିଲା । ଏପରିକି ଆମେରିକାର ଗାଇଡେଡ ମିସାଇଲ ଡେଷ୍ଟ୍ରୟରର ଅତି ନିକଟକୁ ଆସିଯାଇଥିଲା ଚୀନ ଯୁଦ୍ଧ ଜାହାଜ । ତେବେ ଶେଷ ମୁହୂର୍ତ୍ତରେ ଧକ୍କାକୁ ଏଡାଇ ଦିଆଯାଇଥିଲା ବୋଲି ସୂଚନା ଦେଇଛି ଇଣ୍ଡୋ-ପାସିଫିକ କମାଣ୍ଡ । ମିଳିତ ସମରାଭ୍ୟାସରେ ଆମେରିକାର ଡେଷ୍ଟ୍ରୟର ଚୁଙ୍ଗ-ହୁନ ଓ କାନାଡାର ଯୁଦ୍ଧଜାହାଜ ମଣ୍ଟ୍ରିଲ ସାମିଲ ହୋଇଥିଲେ ।

ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢୁଥିବାବେଳେ କୂଟନୈତିକ ଉତ୍ତେଜନା ବୃଦ୍ଧିପାଇବାରେ ଲାଗିଛି । ଏପରିକି ତାଇଓ୍ବାନ ଉପରେ ଚୀନ ଆକ୍ରମଣ କଲେ ତାଇଓ୍ବାନ ସପକ୍ଷରେ ତାଙ୍କ ଦେଶ ରହିବ ବୋଲି କହିସାରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏସୀୟ ନିରାପତ୍ତା ସମ୍ମିଳନୀ ଅବସରରେ ଗତ ରବିବାର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ କହିଥିଲେ- ଆମେରିକା ସହ ତିକ୍ତତାର ଫଳ ବିପର୍ଯ୍ୟୟର କାରଣ ହୋଇପାରେ ତଥାପି କଥାବାର୍ତ୍ତା ଜରିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନାକୁ ତାଙ୍କ ଦେଶ ଗୁରୁତ୍ବ ଦେଉଛି ।