ଭାରତ ସହ ଭଲ ସମ୍ପର୍କ ପାଇଁ ଚୀନ ବ୍ୟାକୁଳ

1 min read

ନୂଆଦିଲ୍ଲୀ: ନରମୁଛି ଚୀନ । ଦ୍ବିପାକ୍ଷିକ ସମ୍ପର୍କରେ ଅଭିବୃଦ୍ଧି ଲାଗି ଦେଖାଉଛି ତତ୍ପରତା । ସୁସଂଗଠିତ ସମ୍ପର୍କ ଜରିଆରେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଚୀନ ପ୍ରସ୍ତୁତ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ।

ଭାରତ-ଚୀନ ସମ୍ପର୍କ ପ୍ରସଙ୍ଗରେ ଓ୍ବାଙ୍ଗ କହିଛନ୍ତି- କୂଟନୈତିକ ଓ ସାମରିକ ସ୍ତରରେ ଦୁଇ ଦେଶ ମଧ୍ୟରେ ଯୋଗସୂତ୍ର ରହିଛି । ସୀମାନ୍ତ ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଲାଗି ଦୁଇ ଦେଶ ଆଗ୍ରହୀ । ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଦୁଇ ଦେଶ ମଧ୍ୟରେ ଗଠନମୂଳକ ଦୃଷ୍ଟିଭଙ୍ଗୀ ରହିଛି ।

ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ ସେକ୍ଟରରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରିପ୍ରେକ୍ଷୀରେ ଚୀନ ପକ୍ଷର ଏହି ବିବୃତି ଆଶା ସଞ୍ଚାର କରିଛି । ସଂଘର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଦିଆଯାଇଥିଲା । ଏଥିରେ ଦର୍ଶାଯାଇଥିଲା, ଚୁସୁଲ-ମୋଲଡୋ ସୀମାନ୍ତରେ ଗତ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ୧୭ତମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ପଶ୍ଚିମାଞ୍ଚଳ ସେକ୍ଟରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।