ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବ ଚୀନ୍ ; ବିଭିନ୍ନ ରାଷ୍ଟ୍ରରେ ଛନକା ସୃଷ୍ଟି

ନୂଆଦିଲ୍ଲୀ : ସୁପରପାଓ୍ବାର ଚୀନର ମେଗା ମିଶନ ।  ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩ଗୁଣ କରିବା ଲାଗି ବ୍ଲୁପ୍ରିଣ୍ଟ । ଆସନ୍ତା ୨୦୩୫ ସୁଦ୍ଧା ଆଣବିକ ଅସ୍ତ୍ର ସଂଖ୍ୟା ୯୦୦କୁ ବୃଦ୍ଧି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ଆମେରିକାକୁ ଟକ୍କର ଦେବା ଲାଗି ଚୀନ ନିଜକୁ ପୂର୍ଣ୍ଣ ପ୍ରସ୍ତୁତ କରୁଥିବାବେଳେ ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇବା ଲାଗି ଉଦ୍ୟମ ବିଭିନ୍ନ ରାଷ୍ଟ୍ର ଲାଗି ଛନକା ସୃଷ୍ଟି କରିଛି ।

ପିପୁଲ୍ସ ଲିବରେସନ ଆର୍ମି ଦ୍ବାରା ପ୍ରସ୍ତୁତ ଏହି ବ୍ଲୁପ୍ରିଣ୍ଟକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଗତବର୍ଷ ଆମେରିକା ପକ୍ଷରୁ କୁହାଯାଇଥିଲା ୨୦୩୫ ସୁଦ୍ଧା ଚୀନ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୧୫ଶହକୁ ବଢ଼ାଇବା ଲାଗି ଉଦ୍ୟମ କରୁଛି । ୨୦୨୭ ସୁଦ୍ଧା ୫୫୦ଓ ୨୦୩୫ସୁଦ୍ଧା ୯୦୦ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ୨୦୨୭ ମସିହା ହେଉଛି ଚୀନ ସଶସ୍ତ୍ରବାହିନୀ ପ୍ରତିଷ୍ଠାର100ତମ ବାର୍ଷିକୀ ।

ସେପଟେ ପ୍ରଥମେ ବ୍ୟବହାର ନକରିବା ନିୟମ ବା ନୋ ଫାଷ୍ଟ ୟୁଜ ନିୟମକୁ ଚୀନ ଏଡାଇଦେବା ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଋଷ ନିକଟରେ ବହୁସଂଖ୍ୟକ ଆଣବିକ ଅସ୍ତ୍ର ରହିଥିବା କାରଣରୁ ଆମେରିକା ନେତୃତ୍ବାଧୀନ ନାଟୋ ବାଧ୍ୟ ହୋଇ ଋଷକୁ ଟକ୍କର ଦେବାକୁ ସାହସ ଜୁଟାଇପାରୁନାହିଁ । ସେପଟେ ଚୀନ ବି ପାଦେ ଆଗକୁ ଯାଇ ଆଣବିକ ଅସ୍ତ୍ର ସଂଖ୍ୟା ବଢାଇବା ଆଭିମୁଖ୍ୟ ରଖୁଥିବାରୁ ଏହାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି ।

ବର୍ତ୍ତମାନର ରିପୋର୍ଟ ଅନୁସାରେ ଋଷ ନିକଟରେ ୫ହଜାର ୯୭୭ଟି ଓ ଆମେରିକା ନିକଟରେ ୫ହଜାର ୪୨୮ଟି ଆଣବିକ ଅସ୍ତ୍ର ରହିଛି । ସେହିପରି ଫ୍ରାନ୍ସ ନିକଟରେ ୨୯୦, ବ୍ରିଟେନ ନିକଟରେ ୨୨୫ଟି ଆଣବିକ ଅସ୍ତ୍ର ରହିଛି । ପାକିସ୍ତାନ ନିକଟରେ ୧୬୫ଟି ଆଣବିକ ଅସ୍ତ୍ର ରହିଥିବାବେଳେ ଭାରତ ନିକଟରେ ୧୬୦ଟି ରହିଛି । ଏବେ ବିଶ୍ବକୁ ଚମକ ଦେଖାଉଥିବା ଉତ୍ତରକୋରିଆ ନିକଟରେ ୨୦ଟି ଆଣବିକ ଅସ୍ତ୍ର ରହିଥିବା କୁହାଯାଉଥିବାବେଳେ ବାସ୍ତବରେ ଏହି ସଂଖ୍ୟା ବହୁ ଅଧିକ ବୋଲି ଆଶଙ୍କା କରାଯାଉଛି ।