ଭାରତର କଡ଼ା ଜବାବ ପରେ ଚେତିଲା ଚୀନ, ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଦେଲା ଅନୁମତି

ନୂଆଦିଲ୍ଲୀ : ଏଥର ଚୀନ ଯାଇପାରିବେ ଭାରତୀୟ ଛାତ୍ରଛାତ୍ରୀ । ଦୀର୍ଘ ଦିନର ବ୍ୟବଧାନ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବାକୁ ଅନୁମତି ଦେଇଛନ୍ତି । ଚୀନକୁ ଭାରତର କଡ଼ା ଜବାବ ପରେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । କରୋନା ମହାମାରୀକୁ ନେଇ ଚୀନରେ ବିଭିନ୍ନ ବିଷୟରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସ୍ବଦେଶ ଫେରି ଆସିଥିଲେ ।

କିନ୍ତୁ କରୋନା ସ୍ଥିତ ବଦଳିବାପରେ ଅନ୍ୟ ରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଚୀନ ଫେରିବା ଲାଗି ସେଠାକାର ସରକାର ଅନୁମତି ଦେଇଥିଲେ ହେଁ ଭାରତୀୟଙ୍କ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ କିଛି ଦିନ ତଳେ ଭାରତ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରାଯିବା ସହିତ ଚୀନ ନାଗରିକଙ୍କ ପାଇଁ ପର୍ଯ୍ୟଟନ ଭିସା ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହାପରେ ଏବେ ଚୀନ ସରକାର ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଚୀନ ଫେରିବା ଲାଗି ଅନୁମତି ଦେଇଥିବା ଜଣାପଡ଼ିଛି।

ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ଚୀନ ଯିବା ନିତାନ୍ତ ଜରୁରୀ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଏବେ ଭିସା ପ୍ରଦାନ କରାଯିବ ବୋଲି ଚୀନ କହିଛି । ଏହିକ୍ରମରେ ଆସନ୍ତା ମେ ’ ମାସ ୮ ତାରିଖ ସୁଦ୍ଧା ଭାରତୀୟ ଛାତ୍ରଛାତ୍ରୀମାନେ ପଞ୍ଜିକରଣ କରିବେ। ଏହାପରେ ସେମାନଙ୍କ ପାଠ୍ୟକ୍ରମ ସମ୍ପର୍କରେ ତର୍ଜମା କରି ଚୀନ ସରକାରଙ୍କ ପକ୍ଷରୁ ଆବଶ୍ୟକ ସ୍ଥଳେ ଭିସା ପ୍ରଦାନ କରାଯିବ ବୋଲି କୁହାଯାଇଛି।