ଋଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ଯୋଗାଇବ ନାହିଁ ଚୀନ୍ । ଏନେଇ ଘୋଷଣା କରିଛନ୍ତି ଚୀନ୍ ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ୍ । ଯୁଦ୍ଧରେ ଋଷକୁ ଚୀନ୍ ଯୁଦ୍ଧାସ୍ତ୍ର ସହଯୋଗ କରିବ ବୋଲି ପାଶ୍ଚାତ୍ୟ ରାଷ୍ଟ୍ର ଯେଉଁ ଆଶଙ୍କା ବ୍ୟକ୍ତ କରୁଥିଲେ ତାହା ଦୂର ହୋଇଛି । ଗାଙ୍ଗ୍ କହିଛନ୍ତି- ଯୁଦ୍ଧରେ ଚୀନ୍ ନିରପେକ୍ଷ ରହିବ । ତେବେ ଋଷକୁ ଚୀନର ରାଜନୈତିକ ଓ ଅର୍ଥନୈତିକ ସମର୍ଥନ ଜାରି ରହିବ । ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଚୀନ୍ ଉଦ୍ୟମ କରିବ ବୋଲି ସେ କହିଛନ୍ତି । ସେପଟେ ଚୀନର ଏହି ଘୋଷଣାକୁ ସ୍ବାଗତ କରିଛି ହ୍ବାଇଟ୍ ହାଉସ୍ । ଋଷକୁ ଚୀନର ସମ୍ଭାବ୍ୟ ଅସ୍ତ୍ର ଯୋଗାଣକୁ ନେଇ ପୂର୍ବରୁ ଚିନ୍ତା ବ୍ୟକ୍ତ କରିଥିଲା ୟୁରୋପିଆନ ୟୁନିୟନ । ଗତମାସରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ପରଠାରୁ ଅସ୍ତ୍ର ଯୋଗାଣ ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଥିଲା । ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ଆମେରିକା ସମେତ ବିଭିନ୍ନ ସ୍ତରରେ ଆଶ୍ବସ୍ତି ସୃଷ୍ଟି କରିଛି ।

ସେପଟେ ୟୁକ୍ରେନର ବାଖମତ ଓ ଖେରସନରେ ପୁଣି ଆଟାକ୍ କରିଛନ୍ତି ଋଷ ସୈନ୍ୟ । ଘଟଣାରେ ୨ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ୟୁକ୍ରେନର ପୂର୍ବାଞ୍ଚଳରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଚାଲିଥିବା ସୂଚନା ମିଳିଛି । ତେଣେ ଦୋନେସ୍କ ଅନ୍ତର୍ଗତ ସ୍ଲୋଭିଆନସ୍କ ସହର ଉପରେ ହୋଇଥିବା ହମଲାରେ ୮ ଜଣ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨୧ ଜଣ । ସେପଟେ ବିଭିନ୍ନ ସହଯୋଗୀ ରାଷ୍ଟ୍ରଙ୍କଠାରୁ ଖୁବ୍ ଶୀଘ୍ର ଯୁଦ୍ଧାସ୍ତ୍ର ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନ ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ପରିଷଦ ମୁଖ୍ୟ କହିଛନ୍ତି- ଋଷ ଅଧିକୃତ କ୍ରିମିଆ ସମେତ ଅନ୍ୟାନ୍ୟ ଅଞ୍ଚଳକୁ ମୁକ୍ତ କରିବା ଲାଗି ଯୋଜନା ଚାଲିଛି । ଏଥିଲାଗି ନିଷିଦ୍ଧ ଘୋଷିତ ହୋଇ ନଥିବା ଅସ୍ତ୍ରର ପରୀକ୍ଷା ଓ ବ୍ୟବହାର କରାଯିବ ବୋଲି କହିଛନ୍ତି ଓଲେକ୍ସି ଦାନିଲୋଭ ।