ଆଉ ଏକ ଯୁଦ୍ଧ : ତାଇୱାନ ଉପରେ ଆକ୍ରମଣ କରିବ ଚୀନ୍

ନୂଆଦିଲ୍ଲୀ: ଖୁବଶୀଘ୍ର ତାଇୱାନ ଉପରେ ଆକ୍ରମଣ କରିବ ଚୀନ । ଆମେରିକା ଯୋଗୁଁ ତାଇୱାନ ଉପରେ ଅଧିକ ଅସନ୍ତୁଷ୍ଟ ହୋଇପଡ଼ିଛି ଡ୍ରାଗନ । ୟୁକ୍ରେନ ଉପରେ ଋଷ ଆକ୍ରମଣ କଲା ଭଳି ତାଇୱାନ ଉପରେ ଚୀନ ଆକ୍ରମଣ କରିବା ନେଇ ବିଚାର କରୁଛି । ଜଣେ ଚୀନ ମିଲିଟାରୀ ଅଫିସରଙ୍କ ଏକ ଲିକ୍ ଅଡିଓରୁ ଏହି କଥା ସାମ୍ନାକୁ ଆସିଛି । ଅଡିଓରେ ଚୀନର ଟପ୍ ମିଲିଟାରୀ ଅଫିସରଙ୍କୁ ତାଇବାନ ବିପକ୍ଷ ଯୁଦ୍ଧ ନେଇ ରଣନୀତି ସମ୍ପର୍କରେ କହୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଅଡିଓ କ୍ଳିପଟି ୫୭ ମିନଟର  । ଏଥିରେ ଚୀନର ଟପ୍ ଓ୍ୱାର ଜେନେରାଲ ତାଇୱାନରେ କିଭଳି ଯୁଦ୍ଧ ଆରମ୍ଭ କରାଯିବ ଏବଂ ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି । ଅଡିଓରୁ ଜଣାପଡ଼ୁଛି ଯେ, ଚୀନର ପିପଲ୍ସ ଲିବରେସନ୍ ଆର୍ମି ସ୍ଥଳପଥର ଆକ୍ରମଣ ନେଇ ଯୋଜନା କରୁଛି । ସାଇବର ଆକ୍ରମଣ ଏବଂ ଅନ୍ତରୀକ୍ଷରେ ଥିବା ହତିଆରର ବ୍ୟବହାର ନେଇ ମଧ୍ୟ ରଣନୀତିର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସାରା ବିଶ୍ୱର ବିଭିନ୍ନ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ସକ୍ରିୟ କରିବା ନେଇ ମଧ୍ୟ ଯୋଜନା ହେଉଛି ।

ସାମାଜିକ କର୍ମୀ ଜେନିଫର ଝୋଗଂ ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ, ପ୍ରଥମଥର ପାଇଁ ଚୀନରେ ଜେନେରାଲସ୍ତରରେ ଟପ୍ ସିକ୍ରେଟ ମିଟିଂକୁ ରେକର୍ଡିଂ କରି ଲିକ୍ କରାଯାଇଛି । ଏଥିଲାଗି ଜଣେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ତିନ ମେଜର ଜେନରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବହୁ ଅନ୍ୟ ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଏଭଳି ଅଡିଓ ଲିକ୍‌ କରିବା, ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସିପିସିରେ ବିଦ୍ରୋହର ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ଦାବି କରାଯାଉଛି ଯେ, ଏହି ବୈଠକ ୧୪ ମଇରେ ହୋଇଥିଲା । ଏହାର ଅଡିଓ ପ୍ରଥମ ଥର ପାଇଁ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଲ୍ୟୁଡ୍ ମିଡିଆର କହିବା ହେଲା ଯେ,ଏହି ଅଡିଓ ସିପିସିର ଏକ ବଡ଼ ଅଧିକାରୀ ଲିକ୍ କରିଛନ୍ତି । ଯିଏ ତାଇୱାନକୁ ନେଇ ଜିନ୍ ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟକୁ ଉଜାଗର କରିବାକୁ ଚାହୁଁଛନ୍ତି । ଅଡିଓରେ ହୋଇଥିବା କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ, ଏହି ବୈଠକରେ ରାଜନୈତିକ ନେତୃତ୍ୱ ବ୍ୟତୀତ, ପାର୍ଟି ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ, ଗଭର୍ଣ୍ଣର ଏବଂ ଭାଇସ୍ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅଡିଓ ଏଭଳି ସମୟରେ ଆସିଛି ଯେତେବେଳେ ତାଇୱାନରେ ଚୀନ ସେନାର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଖୁବ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ ମଇ ମାସରେ  ତାଇଓ୍ୱାନ ଏୟାରସ୍ପେଶରେ ଚୀନ ୬୮ ମିଲିଟାରୀ ଏୟାରକ୍ରାଫ୍ଟ ପଠାଇସାରିଛି । ଏମାନଙ୍କ ମଧ୍ୟରେ ୩୦ ଫାଇଟର ଜେଟ୍, ୧୯ ପ୍ଳେନ୍, ୯ହେଲିକପ୍ଟର ସାମିଲ ।  ଯାହା ତାଇୱାନ ବିପକ୍ଷରେ ଚୀନ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିବା ସନ୍ଦେହକୁ ସୁଦୃଢ଼ କରୁଛି ।  ତାଇୱାନ ଚୀନର ଦକ୍ଷିଣ ପୂର୍ବ ତଟଠାରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ । ସେ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚିତ କରେ । ଯେତେବେଳେ କି ଚୀନ ଏହାକୁ ନିଜ ପ୍ରଦେଶ ଭାବେ ବିବେଚିତ କରେ । ଏବଂ ଏହାକୁ ପୁଣି ଚୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

ସେପଟେ ଚୀନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ । ତାଇୱାନ ଉପରେ ଆକ୍ରମଣ କରିବା ଭୁଲ ଚୀନ ନକରୁ ବୋଲି ବାଇଡେନ୍ କହିଛନ୍ତି । କ୍ୱାଡ୍ ବୈଠକରେ ଯୋଗ ଦେବାପାଇଁ ଜାପାନ ଆସିଥିବା ବାଇଡେନ୍ ସିଧାସଳଖ ସାମରିକ ହସ୍ତକ୍ଷେପ କଥା କହିଛନ୍ତି । ସେ କହିଛନ୍ତି ଯେ, ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେ ସାମରିକ ହସ୍ତକ୍ଷେପ କରିବୁ ।
ବୈଠକରେ ବଇଡେନ୍ ପ୍ରଶ୍ନ କରିଥିଲେ ଯେ,ଯଦି ଚୀନ୍ ତାଇୱାନ୍ ଉପରେ ଆକ୍ରମଣ କରେ ତେବେ କ’ଣ ଆମେରିକା ସାମରିକ ହସ୍ତକ୍ଷେପ କରିବ ? ନିଜ ପ୍ରଶ୍ନର ଉତ୍ତର ଦେଇ ବାଇଡେନ୍ କହିଥିଲେ ଯେ, ଆମେ ଏହାହିଁ ପ୍ରତିଶ୍ରୁତି ଦେଇଥିଲୁ । ଆମେ ‘ଏକ ଚୀନ’ ନୀତି ଉପରେ ରାଜି ହୋଇଥିଲୁ । କିନ୍ତୁ ଏହା ଭାବିବା ଭୁଲ ହେବ ଯେ, ତାଇୱାନକୁ ବଳପ୍ରୟୋଗ କରି ନିଜ ଅଧିକାରକୁ ନିଆଯାଇ ପାରିବ । ତାଇୱାନ ବିରୋଧରେ ଚୀନର ସାମରିକ ଶକ୍ତି ପ୍ରୟୋଗ ସଂମ୍ପୂର୍ଣ୍ଣ ଅଂଚଳକୁ ଅସ୍ଥିର କରିଦେବ । ସୂଚନାଯୋଗ୍ୟ ଯେ, ତାଇୱାନ୍ ରିଲେସନ୍ ଆକ୍ଟ ଅନୁସାରେ ଆମେରିକା ତା’ର ସୁରକ୍ଷା କରିବା ପାଇଁ ବାଧ୍ୟ । ତାଇୱାନ ଆମେରିକାଠାରୁ ସାମରିକ ଉପକରଣ କିଣିଥାଏ.