ତାଇୱାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚୀନ୍

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ । ତାଇଓ୍ବାନ ଚାରିପାଖେ ଚୀନର ସାମରିକ କାର୍ଯ୍ୟକ୍ରମ, ବାରମ୍ବାର ଯୁଦ୍ଧ ବିମାନ ଉଡାଇବା, ଯୁଦ୍ଧ ଜାହାଜ ମୁତୟନ ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ଭାବ୍ୟ ବିପଦ ଆଶଙ୍କା କରି ନିଜର ଆଭ୍ୟନ୍ତରୀଣ ନିରାପତ୍ତାକୁ ସଜାଗ କରାଇଛି ତାଇଓ୍ବାନ । ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ର ବାହିନୀ ଓ କୌଶଳ ନିର୍ଦ୍ଧାରଣ ବିଭାଗର କମାଣ୍ଡୋମାନଙ୍କୁ ଆଲର୍ଟରେ ରଖାଯାଇଛି । ଏନେଇ ସ୍ବତନ୍ତ୍ର ଡ୍ରିଲ ମଧ୍ୟ କରାଯାଉଛି ।

ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଗତକାଲି ଚୀନର ୧୨ଟି ଯୁଦ୍ଧ ବିମାନ ତାଇଓ୍ବାନ ଆକାଶରେ ପଇଁତରା ମାରିଥିଲେ । ପ୍ରାୟ ଦୁଇ ସପ୍ତାହ ଧରି ତାଇଓ୍ବାନ ଷ୍ଟ୍ରେଟର ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥିବା ଚୀନର ୫ଟି ବିମାନ ଏପରିକି ତାଇଓ୍ବାନ ଭିତରକୁ ଚାଲିଯାଇଥିଲେ ବୋଲି ସୂଚନା ମିଳିଛି । ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉଗ୍ର ହୋଇଆସିଥିବା ଡ୍ରାଗନ ବାରମ୍ବାର ତାଇଓ୍ବାନକୁ ନାଲି ଆଖି ଦେଖାଇବା ସହ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ସମ୍ଭାବନା ସୃଷ୍ଟି କରିଛି ।