ଚିଲିକାରେ ଡଙ୍ଗାବୁଡ଼ି ଘଟଣା: ୨ ଜଣଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡି ଘଟଣା । ଉଦ୍ଧାର ହେଲା ୨ଟି ମୃତଦେହ । ଚାରିଜଣଙ୍କୁ ଥାନାରେ ଅଟକ ରଖାଯାଇଛି । ଗତକାଲି ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତଦେହ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିବା ବେଳେ, ଅନ୍ୟ ଜଣେ ଗମ୍ଭାରୀ ଟୁଆ ଗାଁର ଉଗ୍ରସେନ ଦାସ ପହଁରି ପହଁରି କୁଳରେ ଲାଗିଥିଲେ । ମୃତକ ଦୁଇ ଜଣ ପୁରୀ ତଳମାଳି ସାହିର ରାକେଶ କୁମାର ସ୍ବାଇଁ ।

ଜଣେ ମେଡିସିନ ଦୋକାନୀ ବୋଲି ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ସେ ଏକ ମେଡିସିନ କମ୍ପାନୀର ମ୍ୟାନେଜର ବୋଲି ଜଣାପଡିଛି । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଟକ ୪ଜଣଙ୍କୁ ପଚରାଉଚରା ଚାଲିଛି । ଭୋଜି କରି ଫେରିବା ବେଳେ ପବନ ଯୋଗୁ ବୁଡ଼ି ଯାଇଥିଲା ଡ଼ଙ୍ଗା । ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବ୍ରହ୍ମଗିରି ଥାନା ଅଧିକାରୀ କହିଛନ୍ତି ।

ଗତକାଲି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି ଥାନା ଅଧୀନରେ ଗମ୍ଭାରୀ ଗାଁ ନିକଟରେ ଡଙ୍ଗା ବୁଡ଼ିଯାଇଥିଲା । କାଳିଜାଈ କୁଦାକୁ ଭୋଜି କରିବା ପାଇଁ ଏକ ଡଙ୍ଗାରେ ୧୩ ଜଣ ଯାଇଥିଲେ । ଭୋଜି କରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ । ସଂଧ୍ୟାରେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବାବେଳେ ଅନ୍ୟ ଦୁଇ ଜଣ ନିଖୋଜ ହୋଇଥିଲେ । ଦୁଇଜଣଙ୍କର ମୃତଦେହ ମିଳିଛି ।