ଆପଣଙ୍କ ପିଲା ଅଧି୍କ ସମୟ ମୋବାଇଲ ଦେଖୁଛନ୍ତି କି? ଜାଣନ୍ତୁ କ’ଣ ହେବ ଅସୁବିଧା

କଟକ: ଅଧିକ ସମୟ ପିଲା ମୋବାଇଲ ଦେଖିଲେ ହରାଉଛନ୍ତି ମାନସିକ ସନ୍ତୁଳନ । ଦୁଇରୁ ୭ ବର୍ଷର ପିଲାଙ୍କ କ୍ଷେତ୍ରରେ ଦେଖାଦେଉଛି ଆଟେନସନ୍ ଡେଫିସିଟ୍ ହାଇପର୍ଆକ୍ଟିଭ୍ ଡିଜଅର୍ଡର୍ । କିନ୍ତୁ ଆମେରିକାର ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଷ୍ଚଡି ରିପୋର୍ଟ କହୁଛି କିଛି ଅଲଗା । ଗର୍ଭବତୀ ମା ଦୁର୍ଘଟଣାର ଶିକାର ହେବା, ଅତ୍ୟଧିକ ମଦ୍ୟପାନ, ଟବାକୋ ବ୍ୟବହାର କଲେ ସେମାନଙ୍କ ଛୁଆ ଏହି ରୋଗର ଶିକାର ହେଉଛନ୍ତି । ଏହାସହିତ ଜନ୍ମ ନେଇଥିବା ଶିଶୁ କମ୍ ଓଜନର ଓ କିମ୍ବା ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁଙ୍କ କ୍ଷେତ୍ରରେ ଏହି ରୋଗ ବେଶୀ ଦେଖାଦେଉଛି । ସମୟଥାଇ ଯଦି ଚିକିତ୍ସା ନ କରାଯିବ ତାହେଲେ ସମ୍ପୃକ୍ତ ଶିଶୁ ବଡ଼ ହେଲେ ମାନସିକ ବିକୃତି ରୋଗର ଶିକାର ହୋଇଚାଲିବ ।

ଦିନରେ ସ୍ବପ୍ନ ଦେଖି ଚିତ୍କାର କରିବା, ପାଠରେ ମନ ନ ଲାଗିବା, ଏକକାଳୀନ ଦୀର୍ଘ ସମୟ ଧରି ବସି ନ ପାରିବା, ବାପା ଓ ମାଙ୍କ କଥାକୁ ଖାତିର ନ କରିବା, ଅନ୍ୟମାନଙ୍କ ସହ ମିଳାମିଶା ନ କରିବା । ଏପରି ହେଲେ ଆପଣଙ୍କ ପିଲା ଏଡିଏଚ୍ଡି ରୋଗରେ ପୀଡ଼ିତ । ଆଟେନ୍ସନ୍ ଡେଫିସିଟ୍ ହାଇପରଆକ୍ଟିଭ୍ ଡିଜଅର୍ଡର୍ ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ବର୍ଷକରୁ ୭ ବର୍ଷ ବୟସରେ ପିଲାର ମସ୍ତିଷ୍କର ବିକଶିତ ହୋଇଥାଏ । ଏହି ବୟସ ଭିତରେ ଯଦି ପିଲା ଅଧିକ ସମୟ ଧରି ମୋବାଇଲ ଦେଖେ କିମ୍ବା ଟେଲିଭିଜନ୍ ଦେଖିବାର ଅଭ୍ୟାସ କରେ ତାହେଲେ ତା ମସ୍ତିଷ୍କ ଭିତରେ ଅସନ୍ତୁଳନ ସୃଷ୍ଟି ହୋଇଥାଏ ।

ଫଳରେ ଧୀରେ ଧୀରେ ସେହି ପିଲା ଅଧୈର୍ଯ୍ୟ ଓ ପାଠ ପଢିବାରେ ଅମନୋଯୋଗୀ ହୋଇଥାଏ । ଆଦୌ ପିଲା ପାଠ ପଢ଼େନାହିଁ । ଏକ ସର୍ଭେରୁ ଜଣାପଡ଼ିଛି, ଆଜିକାଲି ସ୍ମାର୍ଟ୍ ମୋବାଇଲ ଯୁଗରେ ଏଭଳି ପିଲାଙ୍କ ସଂଖ୍ୟା ୧ ଲକ୍ଷରେ ୪୫ ପ୍ରତିଶତ । ଯାହାକି ଏବେ ଚିନ୍ତାର କାରଣ ହୋଇଛି । ଏଡିଏଚ୍ଡି ରୋଗରେ ପୀଡ଼ିତ ପିଲାକୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖରେ ଚିକିତ୍ସା କରିବାକୁ ପଡ଼ିବ । ତା ନ ହେଲେ ବଡ଼ ବେଳକୁ ସେ ମାନସିକ ବିକାରଗ୍ରସ୍ତ ହୋଇ ନିଜ ଓ ପରିବାର ଜୀବନକୁ ଦୁର୍ବିସହ କରିଦେବ ।

ଏଡିଏଚ୍ଡି ରୋଗ ଏକ ପ୍ରକାର ନ୍ୟୁରୋଲୋଜି ଡିଜଅର୍ଡର । କେବଳ ଅଧିକ ସମୟ ମୋବାଇଲ ଦେଖିଲେ ଯେ, ପିଲାଙ୍କୁ ଏହି ରୋଗ ହୋଇଥାଏ । ଏପରି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ । ଆମେରିକା ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଷ୍ଟଡି ଅନୁଯାୟୀ ଯଦି ସମୟ ପୂର୍ବରୁ ଜନ୍ମ ନେଇଥିବା ଶିଶୁ, ଗର୍ଭସ୍ଥ ଶିଶୁର ମା ଲିଡ୍ ମିଶ୍ରିତ ପ୍ରଦୂଷିତ ବାୟୁମଣ୍ଡଳରେ ରହିବା, ମଦ୍ୟପାନ, ଟବାକୋ ସେବନ ଓ କମ୍ ଓଜନ ବିଶିଷ୍ଟ ଶିଶୁ ଜନ୍ମ ନେବା ପରେ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି ।

ଏହା ବିଶେଷକରି ମସ୍ତିଷ୍କର କର୍ଟେକ୍ସ୍ ଅସନ୍ତୁଳନ କାରଣରୁ ହୋଇଥାଏ । ଅଧିକ ସମୟ ଟେଲିଭିଜନ୍, ମୋବାଇଲ ଦେଖିବା, କିମ୍ବା ଅଧିକ ମିଠା ଖାଇବା ଦ୍ବାରା ପିଲାଙ୍କୁ ଏଡିଏଚ୍ଡି ହେଉଥିବା ଦାବିକୁ ଆମେରିକା ସିଡିସି ଗ୍ରହଣ କରୁନାହିଁ । ପିଲାର ମାନସିକ ସ୍ତରରେ ଅସ୍ବାଭାବିକତା ଦେଖାଦେଲେ ତୁରନ୍ତ ନ୍ୟୁରୋଲୋଜି କିମ୍ବା ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଦରକାର ।

ରୋଗର ଚିକିତ୍ସା ଉପଯୁକ୍ତ ସମୟରେ ନ ହେଲେ ଏଡିଏଚ୍ଡି ରୋଗୀ ନିଜର ଦୈନଦିନ କାମ କରିବା ଭୁଲିଯାଏ । ଗୁରୁତର ହେଲେ ରୋଗୀ ଗପୁଥିଲେ ଗପୁଥିବ, ଦୌଡୁଥିଲେ ଦୈାଡୁଥିବ ଏପରିକି ଗଛ ଚଢ଼ି କେତେବେଳେ ତଳକୁ ଅସୁରକ୍ଷିତ ଭାବେ ଡେଇଁପଡ଼ିବ ସେ ନେଇ ତାର ଜ୍ଞାନଗୋଚର ରହେ ନାହିଁ । କିନ୍ତୁ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ଦ୍ବାରା ରୋଗୀ ଆରୋଗ୍ୟ ଲାଭ କରିପାରିବ ।