ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା

ଭଦ୍ରକ: ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକିତ୍ସା ଅବହେଳା ପାଇଁ ଜଣେ ଦୁଇ ମାସର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶିମୁଳିଆ ଥାନା ଅମରିଆ ଅଗ୍ନିପୁରର ମନୋଜ ମହାଳିକଙ୍କ ୨ ମାସର ଶିଶୁପୁତ୍ର ଅସୁସ୍ଥ ହୋଇଥିଲେ । ଆଜି ସକାଳୁ ପ୍ରଥମେ ଏକ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ । ପରେ ଭଦ୍ରକ ଗେଲପୁର ଠାରେ ନିର୍ମିତ ନୂତନ ଏମସିଏଚରେ ଭର୍ତ୍ତି କରିଥିଲେ । ତେବେ ମେଡିକାଳରେ ଭର୍ତ୍ତି ହେବାର ଅଧ ଘଣ୍ଟା ଭିତରେ ଶିଶୁଟିର ମୃତ୍ୟୁ ହୋଇଥିଲା । ମେଡ଼ିକାଲରେ ଡାକ୍ତର ଅନୁପସ୍ଥିତ ଥିବା ବେଳେ ଷ୍ଟାଫନର୍ସ ଶିଶୁଟିକୁ ଚିକିତ୍ସା କରିଥିଲେ। ଏପରିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଅନୁସାରେ ଷ୍ଟାଫ ନର୍ସ ଜଣଙ୍କ ଚିକିତ୍ସା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ୍ୟୁ ପରେ ଆସି ଡାକ୍ତର ପହଂଚିଥିବା କହିଛନ୍ତି ପରିବାର ଲୋକେ । ଶିଶୁ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଅନ୍ୟପଟେ ଘଟଣା ସଂପର୍କରେ ଅବଗତ ଥିବା କହିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ। ଯଦି ଚିକିତ୍ସାରେ କୌଣସି ଅବହେଳା ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡ଼ିଏମଓ।