ନନ୍ଦିଘୋଷ ଟିଭିର ପ୍ରଥମ ସ୍ୱନକ୍ଷତ୍ର : ‘ଆମେ ଟିଆରପି ନୁହେଁ ଲୋକଙ୍କ ଆସ୍ଥା ଜିତିବା ରେସ୍ରେ ଅଛୁ’
ଭୁବନେଶ୍ୱର: ଆମେ ଟିଆରପି ଦୌଡ଼ରେ ନାହୁଁ , କିନ୍ତୁ ଲୋକଙ୍କ ଆସ୍ଥା ଭାଜନ ହେବା ରେସରେ ରହିଛୁ । ଆମେ ମୁହଁରେ ରଙ୍ଗ ମାଖି ଖବର ପରିବେଷଣ କରିବୁ କିନ୍ତୁ ଖବରରେ ରଙ୍ଗ ମାଖିବୁ ନାହିଁ । ସମସ୍ତଙ୍କଠାରୁ ଆଗରେ, ସବୁଠୁ ଆଗରେ ନିର୍ଭୁଲ ଖବର ପରିବେଷ କରିବୁ । ଏ ଥିଲା ଠିକ୍ ୧ ବର୍ଷ ତଳେ ନନ୍ଦିଘୋଷ ଟିଭିର ଲୋକାପର୍ଣ ଅବସରରେ ସଂସ୍ଥା ପକ୍ଷରୁ ନିଆଯାଇଥିବା ସଂକଳ୍ପ । ଯାହାକୁ ଆଜିର ସ୍ୱନକ୍ଷତ୍ର ଦିବସରେ ମନେପକାଇଛନ୍ତି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର । ନନ୍ଦିଘୋଷ ଟିଭିର ସ୍ୱନକ୍ଷତ୍ର ଦିବସ ଅବସରରେ ସ୍ଥାନୀୟ ହୋଟେଲରେ ଅନୁଷ୍ଠିତ ସ୍ୱତନ୍ତ୍ର ଚିନ୍ତନ ‘ଜାତି ନନ୍ଦିଘୋଷ କନ୍କ୍ଳେଭ୍’ର ଉଦ୍ଘାଟନ ଅବସରରେ ସେ ଆହୁରି କହିଛନ୍ତି ଯେ, ଆଜିକୁ ଠିକ୍ ୧ ବର୍ଷ ତଳେ ଆମେ ଯେଉଁ ସବୁ ସଂକଳ୍ପ ନେଇଥିଲୁ, ଜନସାଧାରଣ ଭଲ ପାଇବାରୁ ହୃଦବୋଧ ହେଉଛି ଆମେ ଆମ ସଂକଳ୍ପକୁ କିଛି କିଛି ମାତ୍ରାରେ ସଫଳ ହୋଇଛୁ ଏବଂ ସେ ଦିଗରେ ଆଗକୁ ବଢ଼ୁଛୁ । ଏଥିସହିତ ଲୋକଙ୍କ ଭଲ ପାଇବା ପାଇଁ ନନ୍ଦିଘୋଷ ଟିଭି ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ଭଟ୍ଟମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆମେ ପୂର୍ବଭଳି ଅତିରଞ୍ଜିତ ଖବରଠାରୁ ଦୂରେଇ ରହିବୁ ଲୋକଙ୍କ ସେବାର ବ୍ରତୀ ରହିବୁ ବୋଲି ସେ କହିଛନ୍ତି ।
ଅପରପକ୍ଷରେ ଜାତି ନନ୍ଦିଘୋଷ କନକ୍ଳେଭ୍ ଉଦ୍ଘାଟନ ଅବସରରେ ସ୍ୱାଗତ ଭାଷଣ ରଖିଛନ୍ତି ସିଇଓ ଜବର ସିଂ ପନୱର । ନିଜ ସ୍ୱାଗତ ଭାଷଣରେ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ସେମାନଙ୍କ ଆସ୍ଥା, ବିଶ୍ୱାସ ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅନବରତ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିଥିବା ନନ୍ଦିଘୋଷ ଟିଭି ଓ ଏହାର ଡିଜିଟାଲ ଟିମ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ମାତ୍ର ୧ ବର୍ଷ ମଧ୍ୟରେ ନନ୍ଦିଘୋଷ ଟିଭିର ୟୁଟ୍ୟୁବ ପ୍ଳାଟଫର୍ମରେ ପାଖାପାଖି ୧ ମିଳିୟନ୍ ୟୁଜର ଯୋଡ଼ିହୋଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍କ୍ଳେଭ୍’ ଉଦ୍ଘାଟିତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ