ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ଚିନ୍ତନ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ଉଦ୍‌ଘାଟିତ । ନନ୍ଦିଘୋଷ ଟିଭିର ୧ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଏକ ହୋଟେଲରେ ଉଦଘାଟିତ ହୋଇଛି ।  ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ଏସ୍ ଭେଙ୍କେଟନାରାୟଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି । ତାଙ୍କ  ସହ ନନ୍ଦିଘୋଷ ଟିଭିର ସିଇଓ ଜବର ସିଂ ପନୱର, ସମ୍ପାଦକ  ଶିଶିର ଭଟ୍ଟମିଶ୍ର ମଧ୍ୟ ଉପସ୍ଥିତ ।

ମିଡିଆ ପାଇଁ ଲୋକଙ୍କ ବିଶ୍ୱାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଅପରପକ୍ଷରେ ନନ୍ଦିଘୋଷ ଟିଭିର ୧ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ‘ନନ୍ଦିଘୋଷ ଟଭି ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମଭାବେ ସଫଳତାର ସହ କାମ କରିଚାଲିଛି । ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜବୁତ୍ କରିପାରିଛି । ଗଣତନ୍ତ୍ରରେ ମିଡିଆର ସବୁଠାରୁ ବଡ଼ ଦାୟିତ୍ୱ ହେଲା ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା କରିବା । ଲୋକଙ୍କ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଏଥିସହିତ ୧ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ‘ଜାତି ନନ୍ଦିଘୋଷ କନ୍‌କ୍ଳେଭ୍’ ନେଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ସୁନ୍ଦର  ଆୟୋଜନ ନନ୍ଦିଘୋଷ ଟିଭିକୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଚ୍ୟାନେଲ ଅତିରଞ୍ଜିତ ଖବରଠାରୁ ଦୂରରେ ରହିବ, ଅପପ୍ରଚାର ବିରୋଧରେ ଲଢ଼େଇ କରିବ, ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ବିଷୟରେ ସଚେତନତା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ମିଡ଼ିଆ ପାଇଁ ଲୋକଙ୍କ ବିଶ୍ୱାସ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ , ଲୋକଙ୍କ ବିଶ୍ୱାସ ହିଁ ମିଡିଆକୁ ପ୍ରଭାବଶାଳୀ କରିଥାଏ । ଏଣୁ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଦିଗରେ ଗୁରୁତ୍ୱ ଦେଇ ନନ୍ଦିଘୋଷ ଟିଭି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ।

ଜାତି ନନ୍ଦିଘୋଷ କନକ୍ଳେଭ୍ ଉଦ୍‌ଘାଟନ ଅବସରରେ ସ୍ୱାଗତ ଭାଷଣ ରଖିଛନ୍ତି ସିଇଓ ଜବର ସିଂ ପନୱର ।  ନିଜ ସ୍ୱାଗତ ଭାଷଣରେ ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ସେମାନଙ୍କ ଆସ୍ଥା, ବିଶ୍ୱାସ  ଓ ଭଲପାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଭୂତାଣୁର ଭୟ ମଧ୍ୟରେ ଅନବରତ ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିଥିବା  ନନ୍ଦିଘୋଷ ଟିଭି ଓ ଏହାର ଡିଜିଟାଲ ଟିମ୍କୁ‌ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ମାତ୍ର ୧ ବର୍ଷ ମଧ୍ୟରେ  ନନ୍ଦିଘୋଷ ଟିଭିର ୟୁଟ୍ୟୁବ ପ୍ଳାଟଫର୍ମରେ ପାଖାପାଖି ୧ ମିଳିୟନ୍ ୟୁଜର ଯୋଡ଼ିହୋଇଛନ୍ତି ।

ଅପରପକ୍ଷରେ ଆଜିର ବର୍ଷ ପୂରାଣି ଅବସରରେ ନନ୍ଦିଘୋଷ ଟିଭି ତା’ର ଲୋକାପର୍ଣ ଉତ୍ସବରେ ନେଇଥିବା ସଂକଳ୍ପକୁ ମନେପକାଇ ଦେଇଛନ୍ତି ସମ୍ପାଦକ ଶିଶିର ଭଟ୍ଟମିଶ୍ର । ସେ କହିଛନ୍ତି,  ଆମେ ଟିଆରପି ଦୌଡ଼ରେ ରହିବୁନାହିଁ । ଆମେ ମୁହଁରେ ରଙ୍ଗ ମାଖି ଟେଲିଭିଜନରେ ଖବର ଉପସ୍ଥାପନ କରୁ କିନ୍ତୁ ଆମେ ଖବରରେ ରଙ୍ଗ ମାଖିବୁ ନାହିଁ । ଆମେ ଟିଆରପି ରେସରେ ନାହୁଁ କିନ୍ତୁ ଆମେ ଜନସାଧାରଣଙ୍କ ଆସ୍ଥା ଜିତିବା ରେସ୍‌ରେ ରହିଛୁ । ସମସ୍ତଠାରୁ ଆଗରେ ସବୁଠୁ ଆଗରେ ନିର୍ଭୁଲ ଖବର ପରିବେଷଣ କରିବୁ । ଜନସାଧାରଣ ଭଲ ପାଇବାରୁ ହୃଦବୋଧ ହେଉଛି ଆମେ ଆମ ସଂକଳ୍ପକୁ କିଛି କିଛି ମାତ୍ରାରେ ସଫଳ ହୋଇଛୁ । ଏବଂ ସେ ଦିଗରେ ଆଗକୁ ବଢ଼ୁଛୁ । ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଆମେ ଅତିରଞ୍ଜିତ ଖବର ଠାରୁ ଦୂରରେ ରହିବୁ ଲୋକଙ୍କ ସେବାରେ ବ୍ରତୀ ହେବୁ ବୋଲି ଶ୍ରୀ ଭଟ୍ଟମିଶ୍ର କହିଛନ୍ତି । ଏଥିସହିତ ସାଧାରଣ ଲୋକଙ୍କ ଭଲ ପାଇବା ପାଇଁ ନନ୍ଦିଘୋଷ ଟିଭି ପରିବାର ପକ୍ଷରୁ କୃତଜ୍ଞତା  ଜ୍ଞାପନ କରିଛନ୍ତି ।

Leave a Reply