ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିର ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

1 min read

ଗଞ୍ଜାମ: ଗଞ୍ଜାମ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଏହି କ୍ରମରେ ଛତ୍ରପୁର ସୁନ୍ଦରେଶ୍ବର ମନ୍ଦିରରେ ପହଞ୍ଚି ଜାରି ରହିଥିବା ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଏହାସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ ।

ସେହିପରି ବ୍ରହ୍ମପୁର ଏମକେସିଜି ଓ କୁସୁମୀ ରିଂ ରୋଡର ସମୀକ୍ଷା କରିବା ପରେ ରଙ୍ଗେଇଲୁଣ୍ଡା ଧବଳେଶ୍ବର ମନ୍ଦିରରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମନ୍ଦିରରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ଧବଳେଶ୍ବର ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଲୋକଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ସେହିପରି ମନ୍ଦିର, ମସଜିଦ୍ ସହ ବିଭିନ୍ନ ଧର୍ମାନୁଷ୍ଠାନର ରୂପାନ୍ତରୀକରଣ କରାଯାଉଛି । ସମସ୍ତଙ୍କ ସହଯୋଗରେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।

ପ୍ରଥମେ ଏମକେସିଜି ମେଡିକାଲ କଲେଜରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ କହିଥିଲେ- ଏମକେସିଜିକୁ ସଶକ୍ତ କରାଯିବ । ଏଠାରେ ସବୁ ସୁବିଧା ଉପଲବ୍ଧ ହେବ । ଆଉ ବାହାରକୁ ଯିବାକୁ ପଡ଼ିବନି । ଏମକେସିଜିରେ ସବୁ ବ୍ୟବସ୍ଥା କରାଯିବ । କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ମେଡିକାଲ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଆହ୍ବାନ ଦେଇଥିଲେ ।

ଏହାପରେ କୁସୁମୀରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । କୁସୁମୀ ରିଂ ରୋଡ ନକ୍ସା ଦେଖିବା ସହ କାମର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ ।

ସ୍ଥାନୀୟ ଲୋକଙ୍କୁ ଉଦବୋଧନ ଦେଇ 5T ଅଧ୍ୟକ୍ଷ କହିଥିଲେ, ରିଂ ରୋଡ କାମ ଆରମ୍ଭ ହୋଇ ସାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୨୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୁଇ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଦେଢ଼ ବର୍ଷ ଭିତରେ କାମ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ରାସ୍ତା ହୋଇଯିବା ପରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଅଞ୍ଚଳର ଉନ୍ନତି ହେବ । ଲୋକଙ୍କୁ ରେଜଗାର ମିଳିବ । ରାସ୍ତା ପାଖରେ ଥିବା ସରକାରୀ ଜମି ଚିହ୍ନଟ କରି ଇଣ୍ଡଷ୍ଟ୍ରିଆଲ ପାର୍କ କରାଯିବ ।