ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକତ୍ବ ଛାଡିଲେ ଧୋନୀ, ଋତୁରାଜଙ୍କୁ ଦାୟିତ୍ବ

1 min read

ଚେନ୍ନାଇ: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସରୁ ଆସିଛି ବଡ଼ ଖବର । ସିଏସକେର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମିଷ୍ଟର କୁଲ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଚଳିତ ସିଜିନରେ ଋତୁରାଜ ଗାଏକ୍ବାଡଙ୍କ ନେତୃତ୍ବରେ ସିଏସକେ ଖେଳୁଥିବା ଦେଖିବାକୁ ପାଇବେ କ୍ରିକେଟ୍ ପ୍ରେମୀ ।

ସୂଚନାଯୋଗ୍ୟ, ୨୭ ବର୍ଷିୟ ଋତୁରାଜ ଚେନ୍ନାଇ ଟିମର ଚତୁର୍ଥ ଅଧିନାୟକ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ଧୋନୀଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ସୁରେଶ ରାଇନା ଅଧିନାୟକ ରହି ସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ସିଏସକେର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ଜାଡେଜା ୮ଟି ଓ ରାଇନା ୫ଟି ମ୍ୟାଚରେ ଅଧିନାୟକ ରହିଛନ୍ତି ।

୨୦୨୨ IPLରେ ଜାଡେଜା ହୋଇଥିଲେ ଅଧିନାୟକ

IPLର ୨୦୨୨ ସଂସ୍କରଣର ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ନୂଆ ଅଧିନାୟକ ଭାବେ ଜାଡେଜାଙ୍କ ନାଁ ଘୋଷଣା କରିଥିଲା । ହେଲେ ଜାଡେଜାଙ୍କ ଅଧିନାୟକତ୍ବରେ ସିଏସକେର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ଜାଡେଜାଙ୍କ ନିଜ ପ୍ରଦର୍ଶନ ବି ଖରାପ ରହିଥିଲା । ଏମିତି ସ୍ଥିତିରେ IPL ଚାଲିଥିବା ବେଳେ ଧୋନୀଙ୍କୁ ପୁଣି ଥରେ ସିଏସକେ ଅଧିନୟକ କରାଯାଇଥିଲା ।

ଧୋନୀଙ୍କ ଅଧିନାୟକତ୍ବରେ ୫ ଥର ଚାମ୍ପିୟନ ହୋଇଛି CSK

୨୦୨୦ ଅଗଷ୍ଟରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ହେଲେ ସେ IPL ଖେଳୁଛନ୍ତି । ନିଜ ଅଧିନାୟକତ୍ବରେ ସେ ଚେନ୍ନାଇକୁ ୫ ଥର IPL ଟ୍ରଫି ଜିତାଇଛନ୍ତି । ୨୦୨୩ ସିଜିନ ମଧ୍ୟ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଜିତିଥିଲା । ଫାଇନାଲରେ ଚେନ୍ନାଇ ଗୂଜୁରାଟକୁ ହରାଇଥିଲା ।

ପୂର୍ବରୁ ସଙ୍କେତ ଦେଇଥିଲେ ଧୋନୀ

ଅଧିନୟକତ୍ବ ଛାଡିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲେ ଧୋନୀ । ଫେସବୁକରେ ଏକ ପୋଷ୍ଟ କରି ଧୋନୀ ଏଥିରେ ଲେଖିଥିଲେ, ୨୦୨୪ IPLରେ ନୂଆ ରୋଲରେ ଦେଖିବାକୁ ପାଇବେ । ଧୋନୀଙ୍କ ଏହି ପୋଷ୍ଟ ତାଙ୍କ ସମର୍ଥକଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଥିଲା ।