ଶେଷ ପର୍ଯ୍ୟାୟରେ ଚନ୍ଦ୍ରଯାନ-୩, ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ

1 min read

ନୂଆଦିଲ୍ଲୀ: ପାଖଉଛି ଚନ୍ଦ୍ର, ବଢୁଛି ଉତ୍କଣ୍ଠା। କଠିନ ପର୍ଯ୍ୟାୟରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ଚନ୍ଦ୍ରଯାନ-୩ ରହିଛି। ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ। ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହେବ। ଏହା ମଧ୍ୟରେ ରହିଛି ପ୍ରଜ୍ଞାନ।

ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ। ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବାର କିଛି ଘଣ୍ଟା ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ। ଗତକାଲି  ପଞ୍ଚମ ତଥା ଶେଷ ଲୁନାର ମାନୋଭର ବା କକ୍ଷ ପରିବର୍ତ୍ତନ କରିଥିଲା ଚନ୍ଦ୍ରଯାନ-୩ । କାଲି ଲ୍ୟାଣ୍ଡର ମୋଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ। ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି ।

ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ।